‘ଶ୍ରୀମନ୍ଦିର ହେବ ନିଲାମମୁକ୍ତ, ଜାୟୀୟ ବ୍ୟାଙ୍କରେ ରହିବ ଟଙ୍କା’

0

ଓଡିଶା ଫାଷ୍ଚ( ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଭକ୍ତଙ୍କୁ ଶୋଷଣମୁକ୍ତ ରଖିବା ଓ ବ୍ୟବସାୟିକ ମନୋବୃତ୍ତିକୁ ପଛରେ ରଖି ଭକ୍ତଙ୍କୁ ସୁବିଧାକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଲାମ ମୁକ୍ତ କରାଯିବ। ଏ ନେଇ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍‌ କୁମାର କହିଛନ୍ତି। ଶ୍ରୀମନ୍ଦିରକୁ ନିଲାମ ମୁକ୍ତ କରିବା ମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରଦ୍ଧ‌ାଳୁମ‌ାନେ ‌ଯେମିତି ମନ୍ଦିର ଭିତରେ ନିରାଶ ନ ହୁଅନ୍ତି ସେଥିପାଇଁ ପଦକ୍ଷେପ ନିଆଯିବ। ଆସନ୍ତା ଦୁଇମାସ ଭିତରେ ଏନେଇ ଅର୍ଥ କମିଟି ତଦାରଖ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ବୈଠକରେ ଆଜି ଆଉ କିଛି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ୭୫ ମିଟର ଐତିହ୍ୟ କରିଡର୍‌ର ସମସ୍ତ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଆସିଥିବା ନେଇ ବୈଠକରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ଐତିହ୍ୟ କରିଡର୍‌ରେ ଥିବା ୧୫ ଏକର ଜମି ମହାପ୍ରଭୁଙ୍କ ନାମକୁ ଆସିଛି। କେବଳ ସେତିକି ନୁହେଁ ଦେବୋତ୍ତର ବିଭାଗ ନାମରେ ଥିବା ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଜମି ମଧ୍ୟ ମହାପ୍ରଭୁଙ୍କ ଖାତାକୁ ଆସିଛି। ଏଥିସହିତ ବୈଠକରେ ଶ୍ରୀମନ୍ଦିର ପାଣ୍ଠି ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖାଯିବ‌ାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନେଇ ଆଲୋଚନା କରାଯିବା ପ‌ରେ ଶ୍ରୀମନ୍ଦିର ପାଣ୍ଠି ଟଙ୍କା ରଖିବାକୁ ଏକ ଗାଇଡ୍‌ଲାଇନ୍‌ ଆଜି ବୈଠକରେ ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର ପାଣ୍ଠିର ସମସ୍ତ ଟଙ୍କା ଏଣିକି ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଶ୍ରୀମନ୍ଦିର ଫାଉଣ୍ଡେସନ୍‌ ଫଣ୍ଡ୍‌ ବା ହୁଣ୍ଡି ଟଙ୍କା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ରହିବ। ସେହିଭଳି କର୍ପସ ପାଣ୍ଠି, ମନ୍ଦିର ପାଣ୍ଠି ଟଙ୍କାକୁ ମଧ୍ୟ ୩ରୁ ଅଧିକ ଜାତୀୟକରଣ ବ୍ୟାଙ୍କରେ ଜମା ରଖାଯିବ। ଯିଏ ଅଧିକ ସୁଧ ଦେବ ‌ସେହି ବ୍ୟାଙ୍କରେ ହିଁ ରହିବ। ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ଏବେ ଉଠାଯିବ ନାହିଁ।

Leave a comment