ବାଲି ମାଫିଆଙ୍କ ଗୁଣ୍ଡାରାଜ : କାର୍ଯ୍ୟାଳୟରେ ପଶି ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ପିଟିଲେ

ଓଡିଶା ଫାଷ୍ଟ( ବ୍ୟୁରୋ): ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଓ ଆରଆଇ। ବାଲି ମାଫିଆମାନେ ସଂଘବଦ୍ଧ ହୋଇ କାର୍ଯ୍ୟାଳୟରେ ପଶି 5 ଜଣଙ୍କୁ ଲୁହା ରଡ଼ ଓ ଇଟାରେ ଆକ୍ରମଣ କରିଥିଲେ। ଏଥିସହ ଆରଆଇ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ୍ କାହାକୁ ଗିରଫ କରି ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ଓ ଆଇଆଇ ରାମ ନାରାୟଣ ସାମଲ ଓ 3 କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଅତିରକ୍ତି ତହସିଲଦାର ଗତକାଲି ରାତି 9 ଟାରେ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ। ପ୍ରକାଶ ଥାଉକି, ଗତକାଲି ଅପରାହ୍ଣରେ ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡରେ 4ଟି ବାଲି ବୋଝେଇ ଟ୍ରାକ୍ଟରକୁ ଆରଆଇ ଅଟକାଇଥିଲେ। ପରେ ସେହି ବାଲି ବୋଝେଇ ଟ୍ରାକ୍ଟରକୁ ଆରଆଇ ଅଫିସକୁ ନେଇ ଡ୍ରାଇଭରକୁ ଚାଲାଣ କାଟିବା ପାଇଁ କହିଥିଲେ। ଏହି କଥାକୁ ନେଇ ଟ୍ରାକ୍ଟର ଡ୍ରାଇଭର ଓ ଆରଆଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଖବର ପାଇ ଅତିରିକ୍ତ ତହସିଲଦାର ଆରଆଇ ଅଫିସରେ ପହଞ୍ଚି ଆଲୋଚନା କରିଥିଲେ। ଏହି ସମୟରେ କିଛି ବାଲିମାଫିଆ ଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ତହସିଲଦାର, ଆରଆଇ ଓ ଅଫିସର କିଛି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।