ଚାକିରୀ ନାଁରେ ଠକେଇ, ୩ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ବର୍ଷ ହେବ ଚାକିରୀ କରାଇଦେବାକୁ କହି ଠକି ଆସୁଥିଲେ । ଶେଷରେ ପୋଲିସ କଲା ଗିରଫ । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି । ଚାକିରି କରାଇଦେବା ନାଁରେ ଯୁବକ ଯୁବତୀଙ୍କଠାରୁ ଠକି ନେଇଥିଲେ ଲକ୍ଷଲକ୍ଷ ଟଙ୍କା । ଶେଷରେ ଉମରକୋଟ ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଥାନା ଅଧିନସ୍ଥ ଗୁଲିପାଟଣା ସାହିର ଆଶିଷ ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଭୁବନେଶ୍ୱରର ଅନିଲ କୁମାର ବାନାର୍ଜୀ ।
ସୂଚନା ଅନୁଯାୟୀ, ଆଶିଷ ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଭୁବନେଶ୍ୱରର ଅନିଲ କୁମାର ବାନାର୍ଜୀ ଗତ ୪ବର୍ଷ ହେବ ଜାତୀୟ ମାନବିକ ଅଧିକାର ନାଗରିକ କମିଶନ ନାଁରେ ନବରଙ୍ଗପୁର ଓ ଉମରକୋଟରେ ଅଫିସ ଖୋଲିଥିଲେ । ଚାକିରି କରାଇଦେବା ନାଁରେ ଜଣକ ପିଛା ୪୦ ହଜାର ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥିଲେ ମଧ୍ୟ ଚାକିରି ଦେଇନଥିଲେ । ତାଙ୍କ ଉପରେ ଲୋକଙ୍କ ବିଶ୍ୱାସ ଜାଗ୍ରତ କରିବାକୁ ରାଇଘର, ଉମରକୋଟ୍, ଝରିଗାଁ ଏବଂ କଳାହାଣ୍ଡି ଜିଲ୍ଲାର ବହୁ ଯୁବକ ଯୁବତୀଙ୍କୁ ସେମାନେ ମିଛ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ମାତ୍ର ଉକ୍ତ ନିଯୁକ୍ତି ପତ୍ର ଜାଲ ଥିବାରୁ ସେମାନଙ୍କୁ ଚାକିରି ମିଳିନଥିଲା । ଚାକିରି କରନ୍ତି ମିଳିବାରୁ ଶତାଧିକ ଯୁବକଯୁବତୀ ଗତକାଲି ଉମରକୋଟ ଥାନା ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଘଟଣାଟିର ସତ୍ୟତା ସାମ୍ନାକୁ ଆସିଛି । ପୋଲିସ ଅଭିଯୋଗକୁ ଭିତ୍ତି କରି ୩ ଠକଙ୍କୁ ଗିରଫ କରିଛି ପୋଲିସ । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଥିବା ସନ୍ଦେହରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।