ଆଦିବାସୀ ଝିଅ ଆକାଶରେ ଉଡି ରଚିବେ ଇତିହାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରବଳ ଇଛାଶକ୍ତି ଆଗରେ ସବୁପ୍ରକାର ବାଧାବିଘ୍ନ ହାର ମାନିଥାଏ । ଏହା ପ୍ରମାଣିତ କରି ଦେଖାଇଛନ୍ତି ମାଲକାନାଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା । ଅନୁପ୍ରିୟା ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ମା, ବାପାଙ୍କ ସହଯୋଗରୁ ତାଙ୍କର ଏ ସ୍ୱପ୍ନ ପୁରା ହୋଇଥିବା ଅନୁପ୍ରିୟା କହିଛନ୍ତି ।

ସୂଚନା ଅନୁଯାୟୀ, ମାଲକାନାଗିରି ସଦର ମହକୁମାସ୍ଥିତ ଡ଼ିଏନକେ କଲୋନୀର ଅନୁପ୍ରିୟା ଲାକ୍ରା । ତାଙ୍କର ପିଲା ଦିନରୁ ଆକାଶରେ ଉଡିବାର ଇଚ୍ଛା ଥିଲା । ଅନୁପ୍ରିୟାଙ୍କ ବାପା ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାମ କରନ୍ତି । ମାଲକାନାଗିରିରେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଶେଷକରି ଭୁବନେଶ୍ୱରକୁ ଆସିଥିଲେ ଇଂଜିନିୟରିଂ କରିବାକୁ । ମାତ୍ର ଇଂଜିନିୟରିଂ ପାଠପଢା ତାଙ୍କୁ ବାନ୍ଧି ରଖିପାରିନଥିଲା । ଅନୁପ୍ରିୟା ଇଂଜିନିୟରିଂ ଅଧାରେ ଛାଡି ଗତି ଇନଷ୍ଟିଚ୍ୟୁଟରେ ତାଲିମ ନେଇଥିଲେ । ଏହାପରେ ସେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ପରୀକ୍ଷା ଦେଇ ସେ ପାସ କରିଥିଲେ । ୨୦୧୨ରୁ ଅନୁପ୍ରିୟାଙ୍କ ସ୍ୱତନ୍ତ୍ର ତାଲିମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାଙ୍କୁ ଏକ ଘରୋଇ କମ୍ପାନୀରେ କୋ ପାଇଲଟ୍ ଭାବେ ନିଯୁକ୍ତି ମିଳିଛି । ଅନୁପ୍ରିୟା ଖୁବ ଶୀଘ୍ର ସିଙ୍ଗାପୁରରେ ନିଜ କାର୍ଯ୍ୟରେ ଯୋଗଦେଇ ଦେଶ ବିଦେଶକୁ ବୋଇଙ୍ଗ ଉଡ଼଼ାଣ ଭରିବେ ।