ସଚେତନ କରିବାକୁ ଆସି ଫସିଲେ ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ମୋଟରଯାନ ନିୟମ ଲାଗୁହେବା ଦିନଠାରୁ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ତେଣୁ ଏହି ନୂତନ ନିୟମ ସମ୍ୱନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଆଜି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଆସି ପହଞ୍ଚିଥିଲେ ଏଜି ଛକରେ । ଭାବିଥିଲେ ଲୋକଙ୍କୁ ଚକଲେଟ ଓ ଲିଫଲେଟ ବାଣ୍ଟି ନୂତନ ଟ୍ରାଫିକ ନିୟମ ବିଷୟରେ ସଚେତନ କରିବେ । କିନ୍ତୁ ସବୁ ଓଲଟା ହୋଇଗଲା । ସଚେତନ କରିବାକୁ ଆସି ଫସିଲେ ବିଧାୟକ । ତାଙ୍କ ଡ୍ରାଇଭର ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ତଣ୍ଡ ଗଣିବାକୁ ପଡିଛି ।

ସୂଚନା ଅନୁଯାୟୀ, ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବିଷୟରେ ସଚେତନ କରିବାକୁ ଏଜି ଛକରେ ପହଞ୍ଚିଥିଲେ । ମାତ୍ର ତାଙ୍କ ଡ୍ରାଇଭର ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିଲେ । ତେଣୁ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ବିଧାୟକଙ୍କୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡିଛି ।

ଗତକାଲି ରାଜମହଲ ଛକରେ ପୋଲିସ ଓ ପବ୍ଲିକ ଖଣ୍ଡ ଯୁଦ୍ଧ ପରେ ଆଜି ପୋଲିସ ଟିକେ ନରମିଛି । କାଲି ଲୋକଙ୍କ ଉପରକୁ ଲାଠି ଚାର୍ଜ କରିବା ପରେ ଆଜି ଚକଲେଟ ଦେଇ ଓ ଲିଫଲେଟ ବାଣ୍ଟି ପୋଲିସ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି । ହେଲମେଣ୍ଟ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା, ଓଭରଟେକ ନକରିବା ଭଳି ବିଭିନ୍ନ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ  ଅବଗତ କରାଉଛି ।

ସେହିପରି ଜୋରିମାନା ଦେବାପରେ ବିଧାୟକ ଗଣମାଧ୍ୟମଙ୍କ ସାମ୍ନାରେ ନିଜ ଭୁଲ ସ୍ୱୀକାର କରିବା ସହ କହିଛନ୍ତି ନିୟମ ସମସ୍ତଙ୍କ ପାଇଁ ସମାନ । ଯିଏ ଭୁଲ କରିବ, ଦଣ୍ଡିତ ହେବ ।

Leave a comment