ଚିର ନମସ୍ୟ ସୁଷମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତ୍ରି ପ୍ରାୟ ୯.୩୦ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।
ସୂଚନା ଅନୁଯାୟୀ, ଧାରା ୩୭୦ ଉଚ୍ଛେଦକୁ ନେଇ ସୁଷମା ନିଜ ଶେଷ ଟ୍ୱିଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ତାଙ୍କ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ବୋଲି ଲେଖିଥିଲେ । ୧୯୫୨ ମସିହା ଫେବୃଆରୀ ୧୪ରେ ଜନ୍ମିତ ସୁଷମା ୨୫ ବର୍ଷ ବୟସରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ସେ ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ । ଏହାବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ସେ ନିଜ ସ୍ପଷ୍ଟବାଦିତା ଓ ଦୃଢ ନିଷ୍ପତ୍ତି ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ସୁଷମାଙ୍କ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନକୁ ନେତାଙ୍କ ସୁଅ ଛୁଟିବାରେ ଲାଗିଛି ।
ସୁଷମା କିଡନୀ ରୋଗରେ ପୀଡିତ ଥିଲେ । ସେ ଦୁଇ ବର୍ଷ ତଳେ କିଡନୀ ପ୍ରତ୍ୟାରୋପଣ କରିଥିଲେ । ଶାରୀରିକ ଅସୁସ୍ଥତା କାରଣରୁ ସେ ଏଥର ନିର୍ବାଚନ ଲଢ଼ିନଥିଲେ ।