ପାଟକୁରାରେ ଖୋଲାଖୋଲି ହେଉଛି ମଦ କାରବାର ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି
ଓଡିଶା ଫାଷ୍ଟ(ବ୍ୟୁରୋ): ଶନିବାର ପାଟକୁରାରେ ର୍ନିବାଚନ । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । ହେଲେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡି ବିଧାୟକ ଓ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ବିଜେଡି ନେତାମାନେ ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତରେ ବୁଲିବା ସହ ଖୋଲାଖୋଲି ମଦ କାରବାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଫଳରେ ଅବାଧ ତଥା ନିରପେକ୍ଷ ର୍ନିବାଚନ ଉପରେ ପ୍ରଶ୍ନ ଉଠୁଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ର୍ନିବାଚନ ଅଧିକାରୀଙ୍କୁ ଫେରି ଏ ନେଇ ଫେରାଦ ହୋଇଛନ୍ତି । ସେ କହିଛନ୍ତି, ର୍ନିବାଚନ ପୂର୍ବର ୪୮ ଘଣ୍ଟା ଅବଧି ଆରମ୍ଭ ହୋଇଗଲାଣି । ହେଲେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁରର ବିଧାୟକମାନେ ପାଟକୁରାରେ ବୁଲୁଛନ୍ତି । ଏପରି କି ପୋଲିସ ଅଧିକାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଟ ୧୫୮ଟି ସମ୍ବେଦନଶୀଳ ବୁଥ୍ରେ ଏଯାବତ୍ ସିସିଟିଭି ତଥା ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇନାହିଁ । ଠିକ ସମୟରେ ସିଇଓଙ୍କୁ ଦଳ ପକ୍ଷରୁ ଏହାର ତାଲିକା ଦିଆଯାଇଥିଲା । ମାତ୍ର ତାହା ହୋଇ ନ ଥିବାରୁ ତୁରନ୍ତ ସେଠାରେ ସିସିଟିଭି ଲଗାଯାଉ ଏବଂ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ବିଜେପି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବୋଲି ଲେଖାଶ୍ରୀ କହିଛନ୍ତି ।