କାଳବୈଶାଖୀ ତାଣ୍ଡବ : ଟେଣ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ମୃତ, ଜଣେ ଗୁରୁତର
କେନ୍ଦୁଝର, : କେନ୍ଦୁଝର ନରଣପୁରରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ବର୍ଷା ଓ ପବନରେ ଭଶୁଡିଲା ଟେଣ୍ଟ ସାମଗ୍ରୀ । ଟେଣ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି।
ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ନରଣପୁରଠାରେ ଥିବା ଏକ ଟେଣ୍ଟ ହାଉସର ଲୁହା ସାମଗ୍ରୀ ଆଦି ଜିନିଷପତ୍ର ଘରର ଭାଡାରେ ଥୁଆ ହୋଇଥିଲା । ଏହା ତଳେ ୪ ଜଣ ଯୁବକ ଶୋଇଥିଲେ । ଏହି ସମୟରେ କାଳବୈଶାଖୀରେ ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତହସିଲଦାର ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି ।
ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।