ଗର୍ଜିଲେ ଠିକାଦାର, କାମ ଦିଅ.. ବକେୟା ଦିଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତାକୁ ଓଲ୍ହାଇଲେ ଇଲେକଟ୍ରିକାଲ ଓ ସିଭିଲ ଠିକାଦାର । ନିର୍ମାଣ ସଦନ ଆଗରେ ଗର୍ଜିଲେ । ୨ ମାସର ବକେୟା ଦିଅ, କାମ ବି ଦିଅ । ଇଆଇସି ଅଫିସ ଏବଂ ଚିଫ ଇ୍ଞ୍ଜିନିୟର ଅଫିସ ଘେରାଉ କରି ନିଜର ଦୁଃଖ ଜଣାଇଲେ । ଏ ନେଇ ଅଲ ଓଡିଶା ଇଲେକଟ୍ରିକାଲ କଣ୍ଟ୍ରାକଟରସ ଆସୋସିଏସନ ଏବଂ ଅଲ ଓଡିଶା ଠିକାଦାର ମହାସଂଘ ପକ୍ଷରୁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ବୈଦ୍ୟୁତିକ କାମ ସହ ନିର୍ମାଣ କାମକୁ ସରଳ କରିବା ପାଇଁ ତଥା ସ୍ୱଚ୍ଛତା ଆଣିବା ପାଇଁ ସରକାର WAMIS ପୋର୍ଟାଲ ମାଧ୍ୟମରେ ଇ-ଟେଣ୍ଡର ବ୍ୟବସ୍ଥା କରିଛନ୍ତି । ଏହି ଇ-ଟେଣ୍ଡର ମାଧ୍ୟମରେ ଠିକାଦାରଙ୍କୁ କାମ କରିବାକୁ ବାଧ୍ୟ କରାଯାଉଛି । ହେଲେ ଏହି ପୋର୍ଟାଲର ଅସ୍ୱାସ୍ଥ୍ୟକର ଏବଂ ଜଟିଳ ନିୟମାବଳୀ ଯୋଗୁଁ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇଛି । କାରଣ ଇ-ଟେଣ୍ଡର କାମ କରିବା ଦ୍ୱାରା ସରକାରୀ ଏବଂ ବେସରକାରୀ ସ୍ତରରେ ହେଉଥିବା ବୈଦୁତିକ ଓ ନିର୍ମାଣ କାମ ତୁରନ୍ତ ଏବଂ ଜରୁରୀକାଳୀନ ଭିତ୍ତିରେ ହୋଇପାରିବ ନାହିଁ । ଏହା ବ୍ୟତୀତ ଅନେକ ସ୍ଥାନୀୟ ଠିକାଦାର କାମ ହରେଇବାର ଆଶଙ୍କା ମଧ୍ୟ ରହିଛି । ତାଛଡା WAMIS ପୋର୍ଟାଲ ଅପଡେଟ ହେବା ପରେ ଏହାର ଜଟିଳ ବ୍ୟବସ୍ଥା ଯୋଗୁ ଠିକାଦାରମାନେ କାମ କରିବାର ଦୁଇ ମାସ ହୋଇ ଯାଇଥିଲେ ବି ଆଜିଯାଏ ସେମାନଙ୍କର ପ୍ରାପ୍ୟ ପାଇପାରି ନାହାନ୍ତି ।

ଇଲେକ୍ଟ୍ରିକ-ସିଭିଲ ମିଳିତ ଠିକାଦାର ସଂଘର ଅଭିଯୋଗ କରିଛନ୍ତି , ସରକାର ଏହି ଆପ ଆଣିବା ପୂର୍ବରୁ ବାସ୍ତବ ଚିତ୍ର ପରଖି ନାହାନ୍ତି । କାରଣ ରାଜ୍ୟରେ ପ୍ରାୟ 10000 ଲାଇସେନ୍ସପ୍ରାପ୍ତ ବୈଦ୍ୟୁତିକ ଓ ସିଭିଲ ଠିକାଦାର ସରକାରଙ୍କ ଆବାସିକ ଏବଂ ଅଣ-ଆବାସିକ କୋଠାର ସମସ୍ତ ପ୍ରକାରର ବୈଦ୍ୟୁତିକ-ନିର୍ମାଣ କାମ କରି ଆସୁଛନ୍ତି। ଏହି ଠିକାଦାରମାନେ ଅଧିକାଂଶ ସମ୍ବେଦନଶୀଳ ସ୍ଥାନରେ ପହଂଚି ବିପଦପୂର୍ଣ୍ଣ ତଥା ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ତ୍ୱରିତ ସେବା ପ୍ରଦାନ କରିଥାନ୍ତି । ଏହି ଲାଇସେନ୍ସପ୍ରାପ୍ତ ବୈଦ୍ୟୁତିକ ଠିକାଦାରଙ୍କ ଯୋଗୁ ଅନେକ କାମ ସହଜରେ ହୋଇପାରିବା ସହ ଏହା ଦ୍ୱାରା ବୃହତ୍ ପରିମାଣର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଏବଂ ବୈଦ୍ୟୁତିକ ଦକ୍ଷତାକୁ ପ୍ରୋତ୍ସାହନ ମିଳୁଛି । ହେଲେ ଏହି ଠିକାଦାରମାନେ ବିଦ୍ୟୁତ୍ କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ କରିବା ସତ୍ତ୍ୱେ ସରକାର ଏହି ସିଧାସଳଖ ଠିକାଦାର ନିଯୁକ୍ତି ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି । WAMIS ପୋର୍ଟାଲରେ ଇ-ଟେଣ୍ଡର କରି ଠିକାଦାର ନିଯୁକ୍ତି ଦେଉଛନ୍ତି । ଏହାଦ୍ୱାରା ରାଜ୍ୟର ଲାଇସେନ୍ସ ପ୍ରାପ୍ତ ଇଲେକ୍ଟ୍ରିକାଲ ଏବଂ ସିଭିଲ ବିଙ୍ଗସର ପ୍ରାୟ ୧୦ ହଜାର ଠିକାଦାର କାମ ହରାଇବା ଆଶଙ୍କା କରିଛନ୍ତି । ଖାଲି ଠିକାଦାର କାମ ହରାଇବେ ନାହିଁ, ଏହି ଜଟିଳ ବ୍ୟବସ୍ଥା ଯୋଗୁ ସରକାର ମଧ୍ୟ ଜରୁରୀ କାଳୀନ କାମ ଠିକ ଭାବେ ଠିକ ସମୟରେ କରି ପାରିବେ ନାହିଁ । ତେଣୁ ସରକାର ଏହି ବ୍ୟବସ୍ଥାର ସରଳିକାରଣ କରିବା ସହିତ ସ୍ଥାନୀୟ ଠିକାଦାରଙ୍କ ପ୍ରତି ଉଚିତ ନ୍ୟାୟ କରିବାକୁ ମିଳିତ ଠିକାଦାର ସଂଘ ପକ୍ଷରୁ ଦାବି କରାଯାଇଛି । ଏହାଦ୍ୱାରା ସମାଜରେ ସବୁ ବର୍ଗର ଠିକାଦାରମାନେ ସରକାରୀ କାମକୁ ତ୍ୱରାନ୍ୱିତ କରାଇବାର ସୁଯୋଗ ସୃଷ୍ଟି ହେବ ।

Leave a comment