କ୍ୟାବିନେଟ୍‍ ରେ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର, ଲାଗୁ ହେବ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

0

ଭୁବନେଶ୍ୱର : ଆଜି ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‍ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର ଲଗାଇଛି। ବିଶେଷକରି ନିର୍ତବାଚନ ପ୍ରତିଶୃତିକୁ ପୂରଣ କରିବା ତଥା ଲୋକଙ୍କ ପାଖରେ ଅଧିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ନିଷ୍ପତ୍ତିଗୁଡ଼ିକ ଭିତରେ ଗୁରୁତ୍ୱ ପାଇଛନ୍ତି ମହିଳା, ବୃଦ୍ଧ, କଷକ  ଏବଂ ଭିନ୍ନକ୍ଷମ। କ୍ୟାବିନେଟ୍‍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା ଲାଗି ଆସିଥିବା ପ୍ରସ୍ତାବ ମଞ୍ଜୁରୀ ପାଇଛି।  ଏଥି ସହିତ ୮୦ ପ୍ରତିଶତ ଅଥବା ଏଥିରୁ ଅଧିକ ପ୍ରତିଶତ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ସରକାର ମାସିକ ଭତ୍ତା ୩୫୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୧୨୦୦ ଟଙ୍କା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।

କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ଯାଇ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରିବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି କ୍ଷେତ୍ରରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ଏହି ଯୋଜନା କାର୍ଯ୍ୟକାରୀ ହେବ।

ସେହିବରି ସୌରଶକ୍ତର ବ୍ୟାପକ ବ୍ୟବହାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସବ୍‍ସିଡି ପ୍ରଦାନ କରିବେ। ଶ୍ରୀ ଆହୁଜା କହିଛନ୍ତି,  ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ପ୍ଲାଣ୍ଟ ଲଗାଇଲେ ରାଜ୍ୟ ସରକାର ଏହି ସହାୟତା ପ୍ରଦାନ କରିବେ। ଏହି ଅନୁସାରେ ୧କିଲୋ ୱାଟ୍‌ର ସୋଲାର ପାଇଁ ରାଜ୍ୟ ସରକାର ଅତିରିକ୍ତ ୨୫ ହଜାର ଟଙ୍କା ଦେବେ। କେନ୍ଦ୍ରର ୩୦ ହଜାର ସବ୍‌ସିଡି ବାଦ୍‌ ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ। ସେହିପରି ୩ କିଲୋୱାଟ୍‌ ସୋଲର ଲଗାଇଲେ ରାଜ୍ୟ ସରକାର ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ। ଅର୍ଥାତ୍‍ ୩ କିଲେଓ୍ୱାଟ୍‍ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କଲେ ଜଣେ ଉପଭୋକ୍ତା ୧ଲକ୍ଷ ୩୮ ହଜାର ଟଙ୍କା ସବ୍‍ସିଡି ଲାଭ କରିବ।

ଅଧିକରୁ ଅଧିକ ମହିଳାଙ୍କୁ ସହାୟତା ଦେବା ଲାଗି ସରକାର କ୍ୟାବିନେଟର ପ୍ରମୁଖ ବିଷୟ ଭାବେ ଗ୍ରହଣ କରିଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଆବେଦନକାରୀ ଯଦି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଲେ ଏକକାଳୀନ ୨ଟି କିସ୍ତି ପାଇବେ ବୋଲି ଶ୍ରୀ ଆହୁଜା ସୂଚନା ଦେଇଛନ୍ତି ।

Leave a comment