ଶ୍ରମିକଙ୍କ ମୃତ୍ୟୁ ଘଟଣା ରେ ଠିକାଦାରଙ୍କୁ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପୋଲିସ ଓ ବିଏମ୍‌ସି

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏମସି ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଏକ ପାଚେରୀ ଭୁଷୁଡି ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅହତ ହୋଇ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ଘଟଣାକୁ ବିଏମ୍‌ସି ଓ ସଂପୃକ୍ତ ଠିକାଦାର ଚାପି ଦେବାକୁ ଉଦ୍ୟମ କରିଛନ୍ତି । ଶ୍ରମିକଙ୍କ ପରିବାରକୁ ଭୟଭୀତ କରି ମାମଲାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନା କୁ ଆସିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଛି ।

ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଡୁମୁଡୁମା ରଘୁନାଥନଗରରେ ଏକ ଡ୍ରେନ କାମ ଚାଲିଥିଲା । ଗାର୍ଡ ୱାଲ ନିର୍ମାଣ ପାଇଁ ଖୋଳା ଚାଲିଥିବା ବେଳେ କଡ଼ରେ ଥିବା ଏକ ପାଚେରି ଭୁଶୁଡ଼ି ପଡ଼ିଥିଲା । ଫଳରେ ଦୁଇଜଣ ଶ୍ରମିକ ପାଚେରୀ ତଳେ ଚାପି ହୋଇରହି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୭ତାରିଖ ଦିନ ଗଞ୍ଜାମ ଶେରଗଡ଼ର ଥୁରୁବୁରାଇର କୋରା ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା ।

ନାଳ ନିର୍ମାଣ କାମ ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଏଭଳି ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଥିଲା । ଘଟଣା ପ୍ରଘଟ ହେଲେ ଠିକାଦାର ଓ ବିଏମସି ଇଞ୍ଜିନିୟର ଫଶିବା ସମ୍ଭାବନା ଥିବାରୁ ମାମଲାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା । ମୃତ ଶ୍ରମିକ ର ପରିବାରବର୍ଗଙ୍କୁ କିଛି ଟଙ୍କା ଦେଇ ଭୟଭୀତ କରାଯାଇଥିଲା। ଫଳରେ ପରିବାର ଲୋକେ ଥାନାରେ ଅଭିଯୋଗ କରିନଥିଲେ । ଏପରି କି ତାଙ୍କ ପରିବାରକୁ ଭୁବନେଶ୍ୱରରୁ ଗଞ୍ଜାମକୁ ପଠାଇ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଘଟଣା ଦିନର ଭିଡ଼ିଓ ସାମ୍ନାକୁ ଆସିଛି । ଫଳରେ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକରୀ କମିଶନଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଅପରପକ୍ଷରେ ମେଡିକାଲ୍‌ରୁ ଖବର ପାଇ ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା(୨୨୬/୨୪)ରୁଜୁ କରି ଘଟଣାର ତଦନ୍ତ କରୁଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଠିକାଦାର ଖସିଗଲେ? ଶ୍ରମିକଙ୍କର ବୀମା କାହିଁକି ହୋଇନଥିଲା? କାମ ବେଳେ ସୁରକ୍ଷା ବ୍ୟବସ୍ଥା କାହିଁକି ଗ୍ରହଣ କରାଯାଇନଥିଲା? ପୋଲିସ ସବୁ ଜାଣି ଅପମୃତ୍ୟୁ ମାମଲା ରୁଜୁକରି ଚୁପ୍ ବସିଲା କେମିତି? ଯଦି ପରିବାରବର୍ଗ ଚାପରେ ଅଭିଯୋଗ କଲେ ନାହିଁ ତେବେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କଲା ନାହିଁ କାହିଁକି? ଏହା ପଛରେ କାହାର ସଂପୃକ୍ତି ରହିଛି? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ, ବିଏମସି ଓ ଠିକାଦାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।

Leave a comment