ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗ ଭିତ୍ତିହୀନ: ବିଜେଡି
ଭୁବନେଶ୍ୱର,: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶ୍ରୀମତୀ ସାହୁ କହିଥିଲେ, ଆଜି ବିଜେପିର ରାଜ୍ୟ ସଭାନେତ୍ରୀ ଐଶର୍ୟା ବିଶ୍ୱାଳଙ୍କ ଦ୍ୱାରା ବିଧାନସଭରେ ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି ସୁରମା ପାଢି ମହୋଦୟାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ। ବିଜେପି ଦ୍ୱାରା ମହିଳାଙ୍କୁ ସମ୍ମାନ ପ୍ରଦାନ ନାମରେ ସ୍ୱର ଉତ୍ତୋଳନ କରିବା ସୈତାନର ବେଦପାଠ ସଦୃଶ୍ୟ।
ବିଜେପି କିଭଳି ଭାବେ ମହିଳାଙ୍କୁ ସମ୍ମାନ ଦିଏ, ତାହା ଓଡ଼ିଶାବାସୀ ବେଶ ଭଲ ଭାବରେ ଜାଣନ୍ତି। ଗତ ସରକାରଙ୍କ ସମୟରେ ବରିଷ୍ଟ ବିଜେଡି ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ। ସେହି ସମୟରେ, ବିଜେପିର ବିଧାୟକ ମାନେ ତାଙ୍କ ଉପରକୁ ଡାଲି ଫିଙ୍ଗି ଅସମ୍ମାନିତ କରିଥିଲେ। ବିଜେପିର ମହିଳା ସମ୍ମାନ ତାଙ୍କର ବିଧାନ ସଭା ଓ ଲୋକସଭା ଟିକେଟରୁ କେତେ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଅନ୍ତି, ସେଥିରୁ ସ୍ପଷ୍ଟ ବାରି ହୁଏ। ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଶ୍ରୀମତୀ ମମତା ମହାନ୍ତଙ୍କ ନାମ ଘୋଷଣା ହେବା ପରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ। କିନ୍ତୁ ତାର କିଛି ସମୟ ପରେ ତାଙ୍କରି ଦଳର ଆଉ ଜଣେ ନେତା ମଧ୍ୟ ସମାନ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା କଣ ବିଜେପିର ମହିଳାଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀମତୀ ସାହୁ କଟାକ୍ଷ କରିଥିଲେ।
ସେହିପରି, ଶ୍ରୀମତୀ ଆଲମ କହିଥିଲେ, ବିଜୁ ଜନତା ଦଳ ବାଚସ୍ପତି ମହୋଦୟଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରଖୁଛି। ସମ୍ପ୍ରତି ରାଜ୍ୟରେ ମଦ ମୃତ୍ୟୁ ଭଳି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଏକ ଦାୟିତ୍ୱ ସଂପର୍ଣ୍ଣ ବିରୋଧୀଦଳ ଭାବେ ବିଜୁ ଜନତା ଦଳର ବିଧାୟକ ମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇବା ସଙ୍ଗେ ସଙ୍ଗେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ।