ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ପ୍ରକାଶ ପାଇଛି ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ । ଝିଅଙ୍କ ପ୍ରଦର୍ଶନ ପୁଅଙ୍କ ତୁଳନାରେ ଭଲ ରହିଛି । କଳାରେ ୧ ଲକ୍ଷ ୪ ହଜାର ୪୪୭ ଜଣ ପୁଅ ପରୀକ୍ଷାର୍ଥୀ ରହିଥିବା ବେଳେ ୭୫ ହଜାର ୯୧୩ ଜଣ ପାସ୍ କରିଛନ୍ତି ।
ଚଳିତ ବର୍ଷ କଳାରେ ପାସ୍ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ପାସହାର ରହିଛି।
ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ www.orissaresults.nic.in ସହ ସେମାନଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ପାଇପାରିବେ।
ସୂଚନାଯୋଗ୍ୟ ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୫ ହଜାର ୨୧୮ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି।
ସେପଟେ ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ରହିଛି । ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । କଳାରେ ମୋଟ୍ ୨,୩୫,୨୧୮ ଜଣ ପରୀକ୍ଷା ଦେଇଥିଲେ,ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧,୯୦,୪୨୯ ଜଣ ଛାତ୍ରଛାତ୍ରୀ।
ସେହିପରି ଚଳିତ ବର୍ଷ ବିଜ୍ଞାନରେ ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ କରିଛନ୍ତି। ପୁଅଙ୍କ ପାସ୍ ହାର ୮୬. ୨୧ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି। ଏଥି ସହିତ ଯୁକ୍ତ ଦୁଇ କମର୍ସରେ ବି କମାଲ ଦେଖାଇଛନ୍ତି ଝିଅ । ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ ପାସ୍ ଓ ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫.୫୫ ପ୍ରତିଶତ, ପୁଅଙ୍କ ପାସ୍ ହାର ୮୦.୪୦ ପ୍ରତିଶତ ରହିଛି।