ସେରୋ ସର୍ଭେରେ ସାମିଲ ହେବେ ସବୁ ବର୍ଗର ଲୋକ, ୧୨ଟି ଜିଲ୍ଲାରେ ବ୍ୟବସ୍ଥା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ସେରୋ ସର୍ଭେ କେବଳ ଶିଶୁଙ୍କ ଲାଗି ନୁହେଁ, ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ଏଥିରେ ସାମିଲ ହେବେ । ରାଜ୍ୟର କେତେ ଲୋକଙ୍କଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି, ତାହା ଜାଣିବା ଲାଗି ଏହା କରାଯିବ । ପୂର୍ବର ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର ୩ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା । ଏବେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ।
ପ୍ରଥମ ଓ ଦ୍ଵିତୀୟ ଲହରରେ ୦ରୁ ୧୦ବର୍ଷ ବୟସର ୩.୫% ପିଲା ସଂକ୍ରମିତ ହେଉଥିଲେ । ୧୦ରୁ ୧୮ବର୍ଷର ୮ରୁ ୮.୫% ପିଲା ପଜିଟିଭ ହେଉଥିଲେ । ଦ୍ଵିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ବେ ପିଲାଙ୍କ ସଂକ୍ରମଣ ହାର ୧୨% ପାଖାପାଖି ଥିଲା । ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ୍ । ଆଇସିୟୁ ଯିବା ପିଲାଙ୍କ ସଂଖ୍ୟା ଢେର କମ୍ ।
ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬% ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି । ତେଣୁ ବର୍ତ୍ତମାନଠୁ ଆତଙ୍କିତ ହେବାର କିଛି ନାହିଁ ।
ଯେହେତୁ ତୃତୀୟ ଲହରରେ ପିଲା ଆକ୍ରାନ୍ତ ସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଇଛି । ତେଣୁ ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି । ୧୮ବର୍ଷ ତଳକୁ ଟିକା ଦିଆଯାଉ ନଥିବାରୁ ସେଥିଲାଗି ଏ ପ୍ରସ୍ତୁତି । ତେବେ ପିଲାଙ୍କ ସଂକ୍ରମଣ ରୋକିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବେଡ଼ ଠାରୁ ଆରମ୍ଭ କରି ଔଷଧ ଓ ଅକ୍ସିଜେନ ଯାଏଁ ସବୁ କିଛି ପ୍ରସ୍ତୁତ ରଖାଯାଉଛି ।