ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଆସିଛି ଏକ ଖୁବ୍‌ ଭଲ ଖବର । କୋଭିଡ୍‌ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲ୍‌ରେ କଷ୍ଟ ଭୋଗୁଛନ୍ତି । ତେବେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବା ଜଣେ ଶତାୟୁ ବୃଦ୍ଧ । ଭୁବନେଶ୍ୱର ସ୍ଥିତ ଝାରପଡା ଅଂଚଳର ୧୦୦ ବର୍ଷୀୟ ବୃନ୍ଦାବନ ସାମଲ୍‌ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମଣ ପରେ ସେ ନିମୋନିଆରେ ପିଡ଼ିତ ଥିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏଥି ସହିତ ତାଙ୍କର କିଡ୍‌ନି ଜନିତ ସମସ୍ୟା ମଧ୍ୟ ପୂର୍ବରୁ ରହିଥିଲା ।

ତେଣୁ ତାଙ୍କର ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ମାତ୍ର ସମ୍‌ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଏହି ଶତାୟୁ ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ବେଶ୍‌ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୃନ୍ଦାବନ ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସମ୍‌ କୋଭିଡ୍‌ ହସ୍ପିଟାଲ୍‌କୁ ଅନେକ ପ୍ରଶଂସା କରିଛନ୍ତି ତାଙ୍କ ପରିବାର । ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନଙ୍କର ଚିକିତ୍ସା ଓ ସେବାକୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ତାଙ୍କ ନାତି ଆଲୋକ ସାମଲ ।

ବିଶେଷ ଭାବେ ନର୍ସମାନେ ନିଜ ହାତରେ ବୃଦ୍ଧଙ୍କୁ ଖାଦ୍ୟ ଖୁଆଇ ଦେବାକୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ନାତି । ସମ୍‌ କୋଭିଡ ହସ୍ପିଟାଲ୍‌ ଯୋଗୁ ହିଁ ତାଙ୍କ ଜେଜେ ଘରକୁ ଫେରିପାରିଲେ ବୋଲି ସେ କହିଛନ୍ତି । ପୂର୍ବରୁ କୋଭଡି୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ୯୦ ବର୍ଷରୁ ଊଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି ।

Leave a comment