ଗୁରୁ ପୂର୍ଣ୍ଣିମାର କ’ଣ ରହିଛି ମହତ୍ୱ, କାହିଁକି ପାଳନ କରାଯାଏ ?

0

ଆଜି ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଗୁରୁ ପୂର୍ଣ୍ଣିମା ପଡ଼ିଥାଏ । ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଏବଂ ଅଦ୍ୱୈତବାଦର ସଂସ୍ଥାପକ । ବେଦ ମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣାନୁଯାୟୀ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରି ବେଦ ମାନଙ୍କ ସଂଗ୍ରହ ଓ ବିଭାଗକାରୀ ଋଷି ବେଦବ୍ୟାସ ଭାବେ ପରିଚିତ ।

ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି । ମହର୍ଷି ବ୍ୟାସଦେବ ହସ୍ତିନାପୁରର ମହାରାଣୀ ସତ୍ୟବତୀ (ମତ୍ସ୍ୟଗନ୍ଧା) ଏବଂ ଋଷି ପରାଶଙ୍କର ପୁତ୍ର। ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ। ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି। ତାଙ୍କର ନିର୍ଦ୍ଦେଶ କ୍ରମେ ଏବଂ ବାର୍ତ୍ତା ଅବଗତକୁ ନେଇ ସେ ମହାଭାରତ ରଚନା କରିଥିଲେ । ଜନ୍ମ ପରେ ସେ ତପସ୍ୟା ନିମନ୍ତେ ଦ୍ୱୈପାୟନ ଦୀପକୁ ଯାଇଥିଲେ । ଜନ୍ମରୁ କୃଷ୍ଣ ବା ରଙ୍ଗରେ କଳା ଥିବାରୁ ତାଙ୍କର ଏକ ଅନ୍ୟ ନାମ ମଧ୍ୟ ଥିଲା, କୃଷ୍ଣ ଦ୍ୱୈପାୟନ । ବେଦବ୍ୟାସ ଅରୁଣିଙ୍କ ପତି ତଥା ଶୁକଦେବଙ୍କ ପିତା ଥିଲେ ।

Leave a comment