ଆଜି ରାତିରେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ ‘ମୋକା’

0

ଆସୁଛି ବଡ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ୍‌ ଓ ଏବେ ବାତ୍ୟାରେ ପରିଣତ ହୋଇଛି । ଗୁରୁବାର ରାତିରେ ବାତ୍ୟା ‘ମୋକା’ ଭୀଷଣ ବାତ୍ୟା ଓ ପରବର୍ତ୍ତୀ ସମୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବାତ୍ୟା ‘ମୋକା’କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ୬ଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଟିମ୍‌ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଟି ଟିମ୍‌ ରାମନଗର ବ୍ଲକ୍-୧, ରାମନଗର ବ୍ଲକ୍-୨ ଏବଂ ହଳଦିଆରେ ମୁତୟନ କରାଯାଇଛି । ଅନ୍ୟ ୩ଟି ଟିମ୍‌ ମଧ୍ୟରୁ ଗୋସାବା କୁଲତାଲୀ ଓ କାକ୍‌ଦ୍ବୀପରେ ଗୋଟିଏ ଟିମ୍‌ ଏବଂ ହିଞ୍ଜଳଗଞ୍ଜ ଓ ସନ୍ଦେଶଖାଲିରେ ଗୋଟିଏ ଲେଖାଏଁ ଟିମ୍‌ ମୁତୟନ କରାଯାଇଛି । ଏହା ବ୍ୟତିତ କୋଷ୍ଟ ଗାର୍ଡଙ୍କୁ ମଧ୍ୟ ଆଲର୍ଟ ରଖାଯାଇଛି । ଉପକୂୂଳବର୍ତ୍ତୀ ଅଞ୍ଚଳଗୁଡିକରେ କୋଷ୍ଟ ଗାର୍ଡ ବିପର୍ଯ୍ୟୟ ପରିଚାଳନା ଦଳଗୁଡିକୁ ସତର୍କ ରହିବାକୁ କୁହାଯାଇଛି । ଏମାନେ ଓଡିଶା ଓ ପଶ୍ଚିମବଙ୍ଗ ସୀମାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ମୁତୟନ ରହିବେ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ମୋକା ଗୁରୁବାର ରାତିରେ ଭୀଷଣ ବାତ୍ୟାରେ ପରିଣତ ହେବ ଓ ୧୨ ତାରିଖ ଅପରାହ୍ନରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ମେ ୧୪ ତାରିଖ ସକାଳେ, ବାଂଲାଦେଶ ଓ ମିଆଁମାର ମଧ୍ୟରେ ବାତ୍ୟା ‘ମୋକା’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ସହିତ ହେଲପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । ଜଳଯାତ୍ରା କରିବାକୁ ଥିବା ଯାତ୍ରୀ ତଥା ପର୍ଯ୍ୟଟକ ମାନେ 03192 – 245555/232714 କିମ୍ବା ଟୋଲ୍‌ ଫ୍ରି ନମ୍ବର 18003452714 ସହ ଯୋଗାଯୋଗ କରି ଅଧିକ ସୂଚନା ପାଇପାରିବେ ।

Leave a comment