ରାଜ୍ୟପାଳଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ୨୩ ବର୍ଷ ଭିତରେ ବିଜେଡ଼ି ସରକାର ଚାଷ ଜମିକୁ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି। ଅନାବୃଷ୍ଟି ଯୋଗୁଁ ମରୁଡ଼ି ଭଳି ବିପତ୍ତିର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ଚାଷୀ।
ଫସଲ ହାନୀ ପାଇଁ ଋଣ ନସୁଝି ପାରିବା କାରଣରୁ ଆତ୍ମହତ୍ୟା କରୁଛନ୍ତି ଚାଷୀ। ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି। ରାଜ୍ୟର ଅନେକ ସ୍ଥାନରେ ମାସକ ଆଗରୁ ଧାନ ଅମଳ ହେବା ସତ୍ତ୍ବେ ସରକାର ମଣ୍ଡି ଖୋଲିଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ।
ଧାନ କିଣା ଵିକାରେ କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରାଯାଉଛି। ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ଯୋଗୁଁ ଚିନିକଳ, ଝୋଟ କଳ ଓ ସୂତା କଳ ଭଳି କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଯାଇଛି। ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା ? ୧୧୨ଟି ଶୀତଳ ଭଣ୍ଡାରରୁ ମାତ୍ର ୮ଟି କାର୍ଯ୍ୟକ୍ଷମ ଅଛି। ରାଜ୍ୟ ସରକାର କେନ୍ଦ୍ରକୁ ସମସ୍ତ କୃଷକଙ୍କ ନାମ ତାଲିକା ଦେଉନଥିବାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ୩୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି।
ରାଜ୍ୟ ସରକାର ଓ ବୀମା କମ୍ପାନିମାନଙ୍କ ସହ ମିଶି ଅନୈତିକ ଭାବେ ଚାଷୀଙ୍କ ଟଙ୍କା ହଡ଼ପ କରୁଛନ୍ତି। ଯେଉଁଥିପାଇଁ ଫସଲ ବୀମା ଟଙ୍କା ପାଉନାହାନ୍ତି ଓଡ଼ିଶା ଚାଷୀ। ଏହି ସବୁ ସମସ୍ୟାର ସମାଧାନ ଏବଂ କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଛି ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ। ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ।