ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ କରି ପ୍ରଶଂସାର ପାତ୍ର ହେଲେ ମନ୍ତ୍ରୀ ଅରୁଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ୫-ଟି ର ପ୍ରକୃତ ଉପଯୋଗ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ପ୍ରଥମଥର ପାଇଁ ସରକାରୀ ଯୋଜନାର ଫାଇଦା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ସମ୍ୱନ୍ଧରେ ସୂଚନା ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଶ୍ରୀ ସାହୁଙ୍କ କହିଛନ୍ତି, କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ । ଏବଂ ଏହି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହଜରେ କାଳିଆ ଟଙ୍କା ଫେରାଇ ଅଣାଯିବ ।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡଚାଷୀ, ଟିକସଦାତା, ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ସଂଖ୍ୟା ମାତ୍ର ୪୦ହଜାର ରହିଛି । ଏମାନଙ୍କ ମଧ୍ୟରୁ ଅନେକ ଏବେ ସହାୟତା ରାଶି ଫେରାଇବାକୁ ନିଜଆଡୁ ଆଗ୍ରହ ପ୍ରକାଶ କଲେଣି । ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ପଠାଇ ଦିଆଯାଇଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ । ଯୋଜନାରେ ବ୍ୟୟ ହୋଇଥିବା ଟଙ୍କାଟିଏ ବି ସ୍ୱଚ୍ଛ ଉପାୟରେ ଚାଷୀଙ୍କ ନିକଟରେ ପହଞ୍ଚିଛି । ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବା ଯୋଗୁଁ ସେମାନଙ୍କ ସହିତ କୌଣସି ସମୟରେ ଯୋଗାଯୋଗ କରାଯାଇ ପାରିବ । କାଳିଆ ଯୋଜନାରେ ଉପକୃତ ହୋଇଥିବା ୩ଲକ୍ଷ ହିତାଧିକାରୀ, ଯେଉଁମାନଙ୍କ ପରିବାରରୁ ଏକାଧିକ ଚାଷୀ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି ବାସ୍ତବରେ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି । ଯେହେତୁ କାଳିଆ ଯୋଜନାରେ ଗୋଟିଏ ଚାଷୀ ପରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଉଛି । ଏମାନେ ସହାୟତା ଆକାରରେ ପାଇଥିବା ୧୫୦କୋଟି ଟଙ୍କାକୁ ସେମାନଙ୍କ ପରିବାରକୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ । ତେଣୁ ଏଥିରେ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ । କାଳିଆ ଯୋଜନା ଘୋଷଣା ହେବାପରେ ଏଥିରେ ସାମିଲ ହେବାପାଇଁ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ୧୯ ଲକ୍ଷ ଆବେଦନ ପଡିଥିଲା । ବିଭିନ୍ନ ପର୍ଯ୍ୟାୟରେ ଆବେଦନପତ୍ର ଗୁଡିକର ଯାଞ୍ଚ ହେବାପରେ ୭୦୦୦ ପଞ୍ଚାୟତରେ ଡ୍ରାଫ୍ଟ ତାଲିକା ଝୁଲାଇ ଦିଆଯାଇଥିଲା । ଅନେକ ହିତାଧିକାରୀ ଯୋଜନାରୁ ନିଜକୁ ବାଦ୍ ଦେବାପାଇଁ ପଞ୍ଚାୟତରେ ଆବେଦନ କରିଥିଲେ । ନାଲି ରଙ୍ଗର ଫର୍ମରେ ଆବେଦନ କରିଥିବା ପାଖାପାଖି ଏକ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଅନୁରୋଧ ଅନୁଯାୟୀ ଡ୍ରାଫ୍ଟ ତାଲିକାରୁ ବାଦ ଦିଆଯାଇଥିଲା । ହିତାଧିକାରୀ ଚୟନ ପାଇଁ ୫୦ହଜାରରୁ ଉଦ୍ଧ୍ୱର୍ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଏହିପରି ତିନି ପର୍ଯ୍ୟାୟ ଯାଞ୍ଚ ପରେ ସରକାରଙ୍କ ନିକଟରେ ଥିବା ଚାଷୀଙ୍କ ଡାଟାବେସ୍ ଆଧାରରେ ଚୂଡାନ୍ତ ତାଲିକାରେ ୫୧ଲକ୍ଷ ୫ହଜାର ସ୍ଥାନ ପାଇଥିଲେ । ଇତି ମଧ୍ୟରେ ୨ହଜାରରୁ ଅଧିକ ହିତାଧିକାରୀ ସେମାନେ ପାଇଥିବା ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କରିଛନ୍ତି । କାଳିଆ ଯୋଜନାଟି ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଉଛନ୍ତି । ତେଣୁ ଯୋଜନାରେ କୌଣସି ତ୍ରୁଟିବିଚ୍ୟୁତି କିମ୍ବା ଅର୍ଥ ହେରଫେର ହେବାର ନାହିଁ ।