ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରୁଛି କିଏ ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ମାରାତ୍ମକ ପରିସ୍ଥିତି ପାଇଁ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କୋମଳ ମତି ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିଥିଲା କିଏ ? ଏଭଳି କିଛି ପ୍ରଶ୍ନ ଭୁବନେଶ୍ୱର ବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ରାଜଧାନୀର ପ୍ରାୟ ୧୧ଟି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଯାଇ ମନ୍ତ୍ରୀଙ୍କୁ ଦେଖାକରି ନିଜ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ସମୟରେ ପୋଲିସ ସେମାନଙ୍କୁ ବାରଣ କରି ଫେରାଇ ଦେଇଥିଲା ।

ସୂଚନା ଅନୁଯାୟୀ, ଏହି ଆନ୍ଦୋଳନ ପଛରେ ୟୁନିଟ ୬ର ସରସ୍ୱତୀ ଶିଶୁ ମନ୍ଦିରର ଜଣେ ଶିକ୍ଷୟିତ୍ରୀଙ୍କ ହାତ ଥିବା ବର୍ତ୍ତମାନରେ ଚର୍ଚ୍ଚାର ବିଷୟ ହୋଇଛି । ଅପରପକ୍ଷରେ ଅନେକ ଏହାକୁ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର ବୋଲି ମଧ୍ୟ କହୁଛନ୍ତି । କରୋନାର ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଯେତେବେଳେ ଦଶମ ଓ ଦ୍ୱାଦଶ ପରୀକ୍ଷା ବିଳମ୍ବରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ସମୟରେ ୧୧ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ରାଲି କରିଥିଲା କିଏ ? ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମରେ ଘରୁ ଆସିଲେ କେମିତି ଯେତେବେଳେ କି ସ୍କୁଲ ଛୁଟି ଅଛି । ଅଭିଭାବକଙ୍କୁ ଏ ସମ୍ୱନ୍ଧରେ ଅବଗତ କରାଯାଇଛି ନା ନାହିଁ ? ଏହିଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଭୁବନେଶ୍ୱର ବାସୀଙ୍କ ମନରେ ଉଙ୍କି ମାରୁଛି । ଏହି ରାଲି ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସରକାର କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ କରିବାକୁ ପ୍ରେରିତ କରିଥିବା ବ୍ୟକ୍ତି ବିରୋଧରେ ଗଣେଶ ଦାସ ନାମକ ଜଣେ ରାଜଧାନୀ ବାସୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Leave a comment