ହାଡ଼ଭଙ୍ଗା ଶୀତରେ ୧୦୦ କିମିର ରେସ୍, ୨୧ ମୃତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବେଜିଂ ୧୨/୬: ବିଭିନ୍ନ ପ୍ରକାର ଅମାନବୀୟ କାର୍ଯ୍ୟ ପାଇଁ ଚୀନ ବେଶ ପରିଚିତ। ପୁଣି ଘଟିଥିବା ଏକ ଘଟଣା ଚୀନର ବାସ୍ତବତାକୁ ପଦାରେ ପକାଇଛି। ଚୀନର ଗାଂସୁ ପ୍ରାନ୍ତରେ ଥିବା ପାର୍ବତ୍ୟାଞ୍ଚଳରେ ଅଲ୍ଟ୍ରାମାରାଥନ୍ ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଆପଣ ଏବେ କହିବେ ଦୌଡ଼ ପ୍ରତିଯୋଗିତା ଅମାନବୀୟ କେମିତି ହେଲା ? ଦୌଡ଼କୁଦ କରିବା ଭଲ କଥା କିନ୍ତୁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ସେଠାରେ ତୁଫାନ ହେବା ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ପ୍ରବଳ ବର୍ଷା ହେଉଥିବା ବେଳେ ସେଠାରେ ସାଧରଣ ମଣିଷଟିଏ ବଞ୍ଚିବା କଷ୍ଟସାଧ୍ୟ ।
ତଥାପି ସେଠାକାର ପ୍ରଶାସନ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ଭାଗନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ୧୦୦ କିଲୋମିଟର ମାରାଥନ୍ରେ ଆହୁରି ଅନେକ ଗୁରୁତର ମଧ୍ୟ ହୋଇଛନ୍ତି। ଏବେ ୨୭ ଜଣଙ୍କ ବିରୋଧରେ ମାମଲା ହୋଇଥିବା ନେଇ ଜଣାପଡ଼ିଛି। ଏଥିରେ ଯେଉଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ଚୀନର ଲୋକପ୍ରିୟ ଧାବକ ଜିୟାଙ୍ଗ ଜିଙ୍ଗ ମଧ୍ୟ ସାମିଲ। ଏହି ମାମଲରେ ପୋଲିସ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ, ଦୌଡ଼ ପ୍ରତିଯୋଗିତା ଆୟୋଜନ ବେଳେ କୌଣସି ପ୍ରକାର ମାନଦଣ୍ଡର ପାଳନ କରାଯାଇନଥିଲା। ଏହା ସହ ବୃତ୍ତିଗତ ଢ଼ଙ୍ଗରେ ଏହାର ଆୟୋଜନ ହୋଇନଥିବାରୁ ପ୍ରତିଯୋଗୀଙ୍କ ଜୀବନ ଯାଇଛି।
ମାରାଥନ୍ରେ ମୋଟ ୧୭୨ ଜଣ ଅଂଶଗ୍ରହଣ କରିଥିଲେ। ଅଧିକାଂଶ ପ୍ରତିଯୋଗୀ ଛୋଟ ପତଳା ପ୍ୟାଣ୍ଟ ଏବଂ ଟି-ସାର୍ଟ ପିନ୍ଧିଥିଲେ। ତେବେ ଏହି ଘଟଣାରେ ସାମିଲ୍ ଚୀନ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ସୁ ଜୁନ ଏବଂ ବ୍ୟାୟିନ ସହରର ମେୟର ଝାଙ୍ଗ ଶୁଚେନ୍ଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ଏଭଳି ଏକ ଘଟଣା ପରେ ଚୀନର ଲୋକମାନେ ନିଜର ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଲୋକେ ଘଟଣା ପାଇଁ ବ୍ୟାୟିନ ସରକାରଙ୍କୁ ଦାୟୀ କରିଛନ୍ତି।