ସାମ୍ବାଦିକଙ୍କୁ ଆକ୍ରମଣ କୁ ନେଇ ଲୋଏର ପିଏମଜିରେ ଧାରଣାରେ ବସିଲେ ସାମ୍ବାଦିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବାରେ ସଦା ସର୍ବଦା ତତ୍ପର ରହୁଥିବା ସାମ୍ବାଦିକ ଆଜି ନିଜେ ଅସୁରକ୍ଷିତ । ଏବେ ରାଜ୍ୟରେ ଲଗାତାର ଭାବେ ବଢି ଚାଲିଛି ଆକ୍ରମଣ । କାର୍ଯ୍ୟରତ ସାମ୍ବାଦିକ କେତେବେଳେ ପୋଲିସ ର ଆକ୍ରମଣର ଶିକାର ହେଉଛନ୍ତି ତ କେତେବେଳେ ରାଜନେତା ଙ୍କ ନିର୍ଦେଶରେ ହେଉଛି ଆକ୍ରମଣ । ଚତୁର୍ଥ ସ୍ତମ୍ଭ ଭାବରେ ପରିଗଣିତ ହେଉଥିବା ସାମ୍ବାଦିକ ଆଜି ସୁରକ୍ଷିତ ନୁହନ୍ତି ।
ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବଂ ପ୍ରଥମଥର ସମସ୍ତେ ଏକଜୁଟ ହୋଇ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଲୋଏର ପିଏମଜି ଠାରେ ଧାରଣାରେ ବସିଛନ୍ତି । ଏଥିରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହେବାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସତ୍ୟପ୍ରକାଶ ନାୟକ, ମନରଞ୍ଜନ ମିଶ୍ର ଓ ଅର୍ଧେନ୍ଦୁ ଦାସ ପ୍ରମୁଖ ଯୋଗଦେଇ ଥିଲେ ।
ସୂଚନାନୁଯାୟୀ, କିଛିଦିନ ତଳେ ବାଲିଆପାଳରେ ଜଣେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଓ ପୁରୀରେ ପୋଲିସର ରକ୍ତମୁଖା ହୋଇ ପାଖାପାଖି ୩୦ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସାରା ରାଜ୍ୟର ସାମ୍ବାଦିକଙ୍କ ସୁରକ୍ଷା କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ସବୁ ମହଲରେ ଏହି ଆକ୍ରମଣ କୁ ନେଇ ନିନ୍ଦା ପ୍ରକାଶ କରାଯାଇଥିଲା ।