ରେଳବାଇ କ୍ଷେତ୍ରରେ ସର୍ବକାଳୀନ, ସର୍ବାଧିକ ଅର୍ଥ ଦେଇଛନ୍ତି ମୋଦି ସରକାର : ସମୀର ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାର ଆଗାମୀ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ୯୭୩୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯାହାକି ସର୍ବକାଳୀନ ସର୍ବାଧିକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି । ଏଥି ସହ ରେକର୍ଡ ପରିମାଣର ଅର୍ଥ ବରାଦ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ମହାନ୍ତି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଅତୀତରେ କଂଗ୍ରେସ ସରକାର ଅମଳରେ ଓଡ଼ିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା । ପୂର୍ବଦ୍ୟୋୟର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୋଦି ସରକାର ଚଳିତ ବର୍ଷ ବଜେଟରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ଅଗ୍ରାଧିକାର ଦେଇଛନ୍ତି । ଗତ ୭ ବର୍ଷ ଭିତରେ ବହୁ ପୁରୁଣା ରେଳ ପ୍ରକଳ୍ପର ପୁନଃ କାର୍ଯ୍ୟକ୍ରମ କରିବା ସହିତ ବହୁ ସଂଖ୍ୟାରେ ନୂତନ ପ୍ରକଳ୍ପର ଆରମ୍ଭ ହୋଇଛି । ରାଜ୍ୟରେ ରେଳ ସଂଯୋଗୀକରଣରୁ ବଂଚିତ ରହିଥିବା ଜିଲ୍ଲାମାନେ ଆଜି ରେଳ ସେବା ପାଇବାକୁ ଯାଉଛନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅମୃତ ମହୋତ୍ସବ ପାଳନ ଅବସରରେ ମୋଦି ସରକାର ଓଡିଶାକୁ ଯେଉଁ ପ୍ରାଥମିକତା ଦେଇଛନ୍ତି, ସେହି କାରଣରୁ ଓଡିଶାବାସୀଙ୍କ ଆସ୍ଥା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତି ବୃଦ୍ଧି ପାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୭୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିବାବେଳେ ମୋଦି ସରକାର ୯୭୩୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୮ ପ୍ରତିଶତ ଅଧିକ । “ସବକା ସାଥ୍‌, ସବକା ବିକାଶ୍‌, ସବକା ବିଶ୍ୱାସ୍ ଏବଂ ସବକା ପ୍ରୟାସ୍‌”କୁ ମୁଳମନ୍ତ୍ର କରି ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସାମୁହିକ ବିକାଶକୁ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର ନିଜ ଆଡୁ ସହଯୋଗର ହାତ ବଢାଇ ରାଜ୍ୟରେ ରେଳବାଇ ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟରେ ରେଳବାଇ ବିକାଶରେ ମୁଳ ବାଧକ ସାଜିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟର ପ୍ରଗତି ଓ ବିକାଶ ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a comment