ଏଣିକି ପ୍ରଶ୍ନପତ୍ର ଲିକ୍‌ କଲେ ଆଜୀବନ ଜେଲ୍‌ ସହ ୧୦ କୋଟି ଟଙ୍କା ଜରିମାନା

0

ପ୍ରଶ୍ନପତ୍ର ପ୍ରଘଟ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର କଠୋର ଆଇନ ଆଣିଛନ୍ତି। ସରକାର ନକଲ ବିରୋଧୀ ଆଇନର ଅଧ୍ୟାଦେଶ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ (ସୋନି) ‘ଉତ୍ତରାଖଣ୍ଡ କମ୍ପିଟେଟିଭ ଏକ୍ଜାମ ଅଧ୍ୟାଦେଶ-୨୦୨୩’କୁ ମଞ୍ଜୁରି ଦେଇଛନ୍ତି।

କୌଣସି ପ୍ରିଣ୍ଟିଂ ପ୍ରେସ, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ପରିଚାଳନା କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡ ହେବ। ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ।

ଏହି ଅଧ୍ୟାଦେଶ ଲାଗୁ ହେବାପରେ ଯଦି ଛାତ୍ରଛାତ୍ରୀ ପରୀକ୍ଷାରେ ନକଲ କରନ୍ତି କିମ୍ବା ନକଲ କରି ଧରାପଡ଼ନ୍ତି ତେବେ ୩ ବର୍ଷର ଜେଲ୍‌ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଛାତ୍ର ଦ୍ବିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ପରୀକ୍ଷା ସମୟରେ ନିଷିଦ୍ଧ ସାମଗ୍ରୀ ବ୍ୟବହାର କଲେ ସମ୍ପତ୍ତି ଜବତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏହି ଆଇନ କାର୍ଯ୍ୟକାରୀ ହେବ। ଏହି ଆଇନ ଦ୍ବାରା ନକଲ ଉପରେ ଅଙ୍କୁଶ ଲାଗିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ଏହି ଅଧ୍ୟାଦେଶକୁ ମଞ୍ଜୁରି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଏହାକୁ ଦେଶର ସବୁଠାରୁ କଡ଼ା ନକଲ ବିରୋଧୀ ଅଧ୍ୟାଦେଶ କହିଛନ୍ତି। ରାଜ୍ୟରେ ହେଉଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହି ଆଇନ ଲାଗୁ ହେବ। ଯୁବଗୋଷ୍ଠୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନକଲ ମାଫିଆଙ୍କର ମୂଳୋତ୍ପାଟନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହା ପୂର୍ବରୁ ଉତ୍ତରାଖଣ୍ଡ ନିଯୁକ୍ତି ଦୁର୍ନୀତି ବିରୋଧରେ ଯୁବ ଗୋଷ୍ଠୀ ରାଜଧାନୀ ଡେରାଡୁନରେ ହଙ୍ଗାମା କରିଥିଲେ। ସେମାନେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏହି ସମୟରେ ପୁଲିସ ଯୁବ ବର୍ଗଙ୍କ ଉପରେ ଲାଠିମାଡ଼ ମଧ୍ୟ କରିଥିଲା। ପ୍ରତିବାଦରେ ସେମାନେ ପଥର ମାଡ଼ କରିଥିଲେ। ଯୁବ ବର୍ଗ ନିଯୁକ୍ତି ରଦ୍ଦ, ପରୀକ୍ଷା ସ୍ବଚ୍ଛତା ଏବଂ ନକଲ ବିରୋଧୀ ଆଇନ ଆଣିବାକୁ ଦାବି କରିଥିଲେ।

Leave a comment