ବଢିଲା ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଅନ୍ତରୀଣ ଜାମିନ ଅବଧି
ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କୁ ପୁଣି ସର୍ବୋଚ୍ଚ କୋର୍ଟଙ୍କ ଆଶ୍ବସ୍ତି । ସୀତାପୁର ବିବାଦୀୟ ଟ୍ବିଟ ମାମଲାରେ ଆଜି ଶୁଣାଣିରେ ପୂର୍ବରୁ କୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ବଢାଇଛନ୍ତି । ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ । ଏହି ଅବଧି ମଧ୍ୟରେ ଜୁବେରଙ୍କୁ ଗିରଫ କରି ପାରିବନାହିଁ ପୋଲିସ । ସୀତାପୁର ପୋଲିସ ଦ୍ବାରା ଦାଖଲ ଏହି ମାମଲାକୁ ଖାରଜ କରିବା ପାଇଁ ଜୁବେର ପ୍ରଥମେ ଆହ୍ଲାବାଦ ହାଇକୋର୍ଟ ଓ ପରେ ନିରାଶ ହେବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ସର୍ବୋଚ୍ଚ କୋର୍ଟ ମାତ୍ର ୫ ଦିନ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ଆଜି ଏହି ଅବଧିକୁ ବଢାଯାଇଛି ।
ଆଜି ମାମଲାର ଶୁଣାଣି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଓ ଏ.ଏସ ବୋପାନ୍ନାଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ହୋଇଥିଲା । ଏହି ମାମଲାରେ ଜୁବେରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଜୁବେରଙ୍କ ମାମଲାରେ ଉତ୍ତର ରଖିବା ପାଇଁ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି କୋର୍ଟ । ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲାରେ ପକ୍ଷ ରଖୁଛନ୍ତି ।