ଆହତ ସେବାୟତଙ୍କୁ ଭେଟି ଆରୋଗ୍ୟ କାମନା କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ରଥଯାତ୍ରା ବେଳେ ରଥ ଉପରୁ ପଡ଼ି ଆହତ ହୋଇଥିବା ମହାପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ ବାଉରୀବନ୍ଧୁ ଦାସମହାପାତ୍ର ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବାଉରୀବନ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ ଦେବବ୍ରତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ବାଉରୀବନ୍ଧୁଙ୍କ ଚିକିତ୍ସା କରାଯାଉଛି । ତେବେ ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ହସ୍ପିଟାଲ୍‌ରେ ବାଉରୀବନ୍ଧୁଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ବାଉରୀବନ୍ଧୁଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଚିକିତ୍ସା ସଂକ୍ରାନ୍ତରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ମନ୍ଦିର ପ୍ରଶାସନ ଯୋଗାଯୋଗରେ ରହିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ତିନିରଥ ଶରଧାବାଲିରେ ଲାଗିଲା ପରେ ରଥ ଉପରୁ ତଳକୁ ଓହ୍ଲାଉଥିବା ସମୟରେ ବାଉରୀବନ୍ଧୁ ତଳେ ପଡ଼ିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

Leave a comment