ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ବିଧାନସଭା ଆରମ୍ଭରୁ ଗୃହ ମୁଲତବୀ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ସୂଚନା ଅନୁସାରେ, ସମଗ୍ର ଦେଶରେ ନୂପୁର ଝଡ଼ ଥମିବା ନାଁ ଧରୁ ନ ଥିବା ବେଳେ ଓଡ଼ିଶା ବିଧାନସଭାରେ ବି ଦେଖାଦେଇଛି ଏହାର ପ୍ରଭାବ । ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଦେଖାଦେଇଛି ନୂପୁର ଝଡ଼ । ନୂପୁର ଶର୍ମା ମାମଲାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ ବିଧାୟକ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ନୂପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଡ । ସୁପ୍ରିମକୋର୍ଟ ନୂପୁରଙ୍କୁ ଭର୍ତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।
ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଏହାର ଜବାବ ରଖିଥିଲେ । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁ ସେଠି ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ତୁମ୍ବି ତୋଫାନ ହେବା ପରେ ବିଜେପି ନୂପୁରୁଙ୍କୁ ନିଲମ୍ବନ କରି ସାରିଛି । ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ନୂପୁର ଶର୍ମା ଗୃହର ସଦସ୍ୟ ନୁହେଁ, ତେଣୁ କାହିଁକି ସେ ବିଷୟରେ ଆଲୋଚନା ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏହବାଦ କଶ୍ମୀର ପଣ୍ଡିତଙ୍କ କଥା ଉଠାଇ କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିବାକୁ ସେ ଭୁଲି ନ ଥିଲେ।
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ନୂପୁର ପ୍ରସଙ୍ଗକୁ ନେଇ ଆଜି ଗୃହ ଉଠିଥିଲା, ପଡ଼ିଥିଲା। ମୁହାଁମୁହିଁ ହୋଇଥିଲେ କଂଗ୍ରେସ-ବିଜେପି ବିଧାୟକ । ଯାହା ବିଷୟରେ ଆଲୋଚନା ହେଉଛି ସେ ଏହି ଗୃହର ସଦସ୍ୟ ନୁହନ୍ତି । ତେଣୁ ଏ ବିଷୟରେ ଅଧିକ ଆଲୋଚନା ହେବା କଥା ନୁହେଁ ବୋଲି କହିଥିଲେ ବାଚସ୍ପତି ଆରୁଖ ।
ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ପ୍ରଥମେ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି । ମାତ୍ର ୧୦ ମିନିଟ୍ ପରେ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା । ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ ନାରବାଜି କରିଥିଲେ କଂଗ୍ରେସ ଓ ବିଜେପିର ସଦସ୍ୟ । ପ୍ରବଳ ହଟ୍ଟଗୋଳ ଯୋଗୁ ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।