ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ଆମେରିକା କଂଗ୍ରେସରେ ପ୍ରସ୍ତାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଆମେରିକାର ଜଣେ ବରିଷ୍ଠ ସାଂସଦ ଗତ ଶୁକ୍ରବାର ପ୍ରତିନିଧି ସଭାରେ ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ବାପୁଜିଙ୍କ ଶାନ୍ତି ଏବଂ ଅହିଂସା ପଥକୁ ସମ୍ମାନ ଜଣାଇ ତାଙ୍କୁ ମରଣୋତ୍ତର ସ୍ବର୍ଣ୍ଣ ପଦକରେ ସମ୍ମାନୀତ କରିବାକୁ ଅପିଲ କରାଯାଇଛି । କଂଗ୍ରେସନାଲ ଗୋଲ୍ଡ ମେଡାଲ ହେଉଛି ଆମେରିକାରେ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ।
ଆମେରିକା ପ୍ରତିନିଧି ସଭାରେ କଂଗ୍ରେସ ସାଂସଦ କେରୋଲିନ୍ ବି ମେଲୋନୀ କହିଛନ୍ତି, ‘ମହାତ୍ମା ଗାନ୍ଧିଙ୍କ ଦ୍ବାରା କରାଯାଇଥିବା ଐତିହାସିକ ସତ୍ୟାଗ୍ରହ ଆନ୍ଦୋଳନ ଭାରତ ସମେତ ସମଗ୍ର ବିଶ୍ବକୁ ପ୍ରେରିତ କରିଛି । ମହାତ୍ମା ଗାନ୍ଧି ନିଜ ଜୀବନକାଳ ମଧ୍ୟରେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ସବୁବେଳେ ଦେଶର ପ୍ରଗତି ତଥା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସାହିତ କରୁଥିଲେ ।’
କେରୋଲିନ୍ କହିଛନ୍ତି ଯେ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଜାତିଗତ ସମାନତାର ଆନ୍ଦୋଳନ ଠାରୁ ଆରମ୍ଭ କରି ରଙ୍ଗଭେଦକୁ ନେଇ ନେଲସନ ମଣ୍ଡେଲାଙ୍କ ଆନ୍ଦୋଳନ ପର୍ଯ୍ୟନ୍ତ ଏ ସମସ୍ତ ଗାନ୍ଧିଜୀଙ୍କ ପ୍ରେରଣା ଦ୍ବାରା ହିଁ ହୋଇଥିଲା । ଜଣେ ଜନସେବକ ଭାବେ ମୁଁ ତାଙ୍କ ସାହସ ଏବଂ ଉଦାହରଣ ଦ୍ୱାରା ପ୍ରତିଦିନ ଅନୁପ୍ରାଣିତ ହେଉଛି ବୋଲି କହିଛନ୍ତି କେରୋଲିନ୍ । ସେ କହିଛନ୍ତି ଯେ ଗାନ୍ଧିଜୀଙ୍କ ଉଦାହରଣ ଯେକୌଣସି ଅଦ୍ଭୁତ ପରିସ୍ଥିତିର ମୁକାବିଲା ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିଥାଏ ।
ତେବେ ଯଦି ମହାତ୍ମା ଗାନ୍ଧିଙ୍କୁ ମରଣୋପରାନ୍ତ ସ୍ବର୍ଣ୍ଣ ପଦକରେ ସମ୍ମାନିତ କରାଯାଏ ତ ସେ ଏହି କ୍ରମରେ ପ୍ରଥମ ଭାରତୀୟ ହେବେ ।ଏହା ପୂର୍ବରୁ ଆମେରିକାର ଏହି ସର୍ବୋଚ୍ଚ ସମ୍ମାନ ଜର୍ଜ ଓ୍ବାଶିଂଟନ, ନେଲସନ୍ ମାଣ୍ଡେଲା, ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର, ମଦର ଟେରେସା ଏବଂ ରୋଜା ପାର୍କ୍ସଙ୍କ ଭଳି ମହାନ ହସ୍ତିଙ୍କୁ ପ୍ରଦାନ କରାଯାଇଛି ।