ପ୍ରଜାକୋଟରେ ୪ ଗ୍ରାମବାସୀଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଂଚଳର ଫୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। ଦାସର ରାମାନ୍ନାଙ୍କୁ ଗତକାଲି ରାତିରେ ୧୫ ଜଣ ନକ୍ସଲ ଅପହରଣ କରି ନେଇ ଜଂଗଲରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ଶବକୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି। ପୋଷ୍ଟର ନିକଟରେ ଦାସର ରାମନ୍ନା ପୁଲିସ ଇନଫର୍ମର ଭାବେ କାମ କରୁଥିବାରୁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି। ଭୟରେ ପରିବାର ଲକେ ପୁଲିସ ନିକଟକୁ ଏତଲା ଦେବାକୁ ଯାଇପାରୁ ନାହାନ୍ତି। ସେହିପରି ବିଜାପୁର ଜିଲ୍ଲାର ହିଁ ଗାଂଗଲୁର ଥାନା ଅଂଚଳର କୁରଚେଲୀ ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅପହରଣ କରିନେଇ ପ୍ରଜାକୋର୍ଟରେ ହାଜର କରାଇଥିଲେ। ପ୍ରଜାକୋର୍ଟରେ ସମସ୍ତେ ପୁଲିସର ଖବରଦାତା ଭାବେ କାମ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସମସ୍ତଙ୍କୁ ନକ୍ସଲ ହତ୍ୟା କରିଥିଲେ। ତେବେ ଜିଲ୍ଲାରେ ଗତ ଦେଢ ମାସ ମଧ୍ୟରେ ଯବାନ ଏବଂ ସାଧାରଣ ଲୋକଙ୍କ ୧୩ ଜଣଙ୍କର ମୁଣ୍ଡ ନେଇସାରିଲେଣି। ପୁଲିସକୁ ଟାର୍ଗେଟ କରି ନକ୍ସଲ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଉଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଏବେ କୋକୂଆ ଭୟ ସୃଷ୍ଟି ହୋଇଛି। ଲୋକେ ପୁଲିସର ସୁରକ୍ଷା ମାଗିଛନ୍ତି।