ଶ୍ରୀମନ୍ଦିର ଉପରେ ଡ୍ରୋନ ଭିଡିଓ ଭାଇରଲ ଘଟଣା; ଅସନ୍ତୁଷ୍ଟ ପରେ ୟୁଟ୍ୟୁବ ଆକାଉଣ୍ଟରୁ ଡିଲିଟ ହେଲା ଭିଡିଓ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଛି ପ୍ରଶ୍ନବାଚୀ। ବଡ଼ଦେଉଳ ଉପରେ ଉଡିଛି ପ୍ରାଇଭେଟ୍ ଡ୍ରୋନ। ଆଉ ଏହି ଡ୍ରୋନରେ ସୁଟିଂ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡ଼ିଓ ଅପ୍ଲୋଡ କରିବା ପରେ ବହୁ ଲୋକ ଦେଖିସାରିଲେଣି। ୟୁନିଫାଏଡ୍ ଅନିମେଶ ନାମକ ୟୁଟ୍ୟୁବ ଆକାଉଣ୍ଟରେ ଏହି ଭିଡ଼ିଓ ଦୁଇସପ୍ତାହ ତଳେ ଅପ୍ଲୋଡ କରାଯାଇଛି।
ତେବେ ଶ୍ରୀମନ୍ଦିର ଚୂଡ଼ା ଉପରେ କିପରି ଡ୍ରୋନ ଉଡାଯାଇ ସମ୍ବେଦନଶୀଳ ଭିଡ଼ିଓ ସୁଟ୍ କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ଏହି ଭିଡ଼ିଓରେ ଓଡ଼ିଶା ପୁଲିସକୁ ୟୁଟ୍ୟୁବର ଜଣଙ୍କ ଧନ୍ୟବାଦ ଦେଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ମାଳ ମାଳ ଜେଟିପି, ଓଡ଼ିଶା ପୁଲିସ ସାଙ୍ଗକୁ ଅନେକ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ହେଲେ ବଡ଼ଦେଉଳର ସୁରକ୍ଷା ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆ ନ ଯିବା ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କାରଣ ଡ୍ରୋନ କ୍ୟାମେରା ଦ୍ୱାରା ଆଜିକାଲି ଅନେକ ଆକ୍ରମଣ ହେଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଭବିଷ୍ୟତରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିଲାଗି ପଦକ୍ଷେପ ନିଆଯିବ। ଗଣମାଧ୍ୟମରେ ଖବର ପ୍ରସାର ପରେ ସମ୍ପୃକ୍ତ ୟୁଟ୍ୟୁବର ତାଙ୍କ ୟୁଟ୍ୟୁବ୍ ଚାନେଲ୍ରୁ ଉକ୍ତ ଭିଡିଓଟିକୁ ଅପସାରଣ କରିଦେଇଥିବା ଜଣାପଡ଼ିଛି।
ତେବେ ସବୁଠୁ ସାଂଘାତିକ ବିଷୟ ହେଲା ବ୍ୟକ୍ତି ଜଣକ ତାଙ୍କ ପାଖରେ ରାତି ସମୟର ଶ୍ରୀମନ୍ଦିରର ଆଉ କିଛି ଭିଡିଓ ଥିବା ଦାବି କରିଛନ୍ତି । ତାକୁ ଠିକଣା ସମୟରେ ପୋଷ୍ଟ କରିବେ ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ସଂପୂର୍ଣ୍ଣ ଭିଡିଓ ଚାହୁଁଥିବା ବ୍ୟକ୍ତି ତାଙ୍କୁ ଅର୍ଥଦେଇ ଏହାକୁ କିଣିପାରିବେ ବୋଲି ମଧ୍ୟ ଅଫର ଦେଇଛନ୍ତି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏହା ପରେ ଏହି ପୋଷ୍ଟକୁ ବଙ୍ଗୀୟ ୟୁ-ଟ୍ୟୁବର ଡିଲିଟ କରିଦେଇଛନ୍ତି ।