କୋଭିଡ ଲଢ଼େଇରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାରିଗଲେ କୋଭିଡ ଲଢ଼େଇରେ ଆଗଧାଡିର ଥିବା ଜଣେ ଯୋଦ୍ଧା । ଆଉ ଜଣେ ଡାକ୍ତର ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । କନ୍ଧମାଳ ଜିଲ୍ଲା ଖଜୁରୀପଡାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି କଟକ ଏସସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଡଃ ଗିରି କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହେବା ପରେ ହୋମ ଆଇସୋଲେସନରେ ଥିଲେ । ତେବେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି ହେବାକୁ ପଡିଥିଲା । ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ହୋଇଛି ।
ତାଙ୍କ ମୃତ୍ୟୁରେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜିଲ୍ଲାପାଳ ଡ ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରଓ୍ଵ।ଲ ,ସିଡିଏମଓ ଡ୍ଃ ରାଜଶ୍ରୀ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ କଟକ ପୋଲିସ ପକ୍ଷରୁ ମଧ୍ୟ ଡଃ ଗିରିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଦିବଙ୍ଗତ ଡାକ୍ତର ଗିରି ରାଷ୍ଟ୍ରୀୟ ବାଳ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ନିଯୁକ୍ତ ଥିଲେ ।