ହେଲ୍ମେଟ୍ ନ ଥିବାରୁ ଡାକ୍ତରଙ୍କୁ ପିଟିଲେ କନେଷ୍ଟବଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ହେଲମେଟ୍ ଚେକିଂ ନାଁରେ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ପୋଲିସ ର ନିର୍ଯାତନାର ଶିକାର ହେବାକୁ ପଡ଼ୁଥିବା ନିତିଦିନିଆ ଘଟଣା । ତେବେ ରାଜଧାନୀ ଜାତିଭାଈଙ୍କଠାରୁ ଶିଖି ଅନୁଗୋଳ ଜିଲ୍ଲାରେ ଜଣେ ଟ୍ରାଫିକ୍ କନଷ୍ଟେବଲ ହେଲମେଟ୍ ନାଁରେ ଜଣେ ଡାକ୍ତରଙ୍କୁ ପିଟିଥିବା ଘଟଣା ରବିବାର ନଜରକୁ ଆସିଛି। ଆକ୍ରମଣର ଶିକାର ହୋଇଥିବା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ଇଏନ୍ଟି ବିଭାଗ ଡାକ୍ତର କମଳାକାନ୍ତ ଜେନା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ହେଲମେଟ୍ ଚେକିଂ ବେଳେ ଜଣେ କନଷ୍ଟେବଳ ତାଙ୍କ ମୁଣ୍ଡ ଫଟେଇ ଦେବା ସହ ହାତକୁ ମଧ୍ୟ ମାଡ଼ ମାରିଛନ୍ତି । ଡାକ୍ତର ଜେନାଙ୍କ ଅଭିଯୋଗ ମୁତାବକ, ଅନୁଗୋଳ ସହରସ୍ଥିତ ଥାନା ଛକରେ ହେଲମେଟ ଚେକିଂ ଚାଲୁଥିବା ବେଳେ ଡା. କମଳକାନ୍ତଙ୍କୁ ଟ୍ରାଫିକ ପୁଲିସ ଅଟକାଇ ଥିଲେ । ସେ ହେଲ୍ମେଟ୍ ପିନ୍ଧି ନଥିବାରୁ ଫାଇନ୍ ଦେବାକୁ ରାଜି ହୋଇଥିବା ବେଳେ ଜଣେ କନଷ୍ଟେବଳ ତାଙ୍କ ମୁଣ୍ଡ ଓ ହାତକୁ ପିଟିଥିଲେ । ଏଥିସହ ୨ଜଣ କନଷ୍ଟେବଳ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ବୋଲି ଡା. ଜେନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଟ୍ରାଫିକ୍ ପୋଲିସ୍ ହେଲ୍ମେଟ ଚେକିଂ ନାଁରେ ଦାଦାଗିରି କରୁଛନ୍ତି ବୋଲି ଡା. ଜେନା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।