ବାପାଙ୍କୁ ଫସାଇ ଦିଆଯାଇଛି: ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ତାଙ୍କ ବାପାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ସଞ୍ଜୟଙ୍କ କହିବା ମୁତାବକ, ଆଗକୁ ଓସିଆର ନିର୍ବାଚନ ଥିବାରୁ ସେମାନଙ୍କ ଉପରେ ଚାପ ପକାଇବାକୁ ଏପରି କରାଯାଇଛି । ଅତିତରେ ଯେଉଁମାନେ ସହଯୋଗୀ ଥିଲେ, ସେମାନେ ବର୍ତ୍ତମାନ ଷଡ଼ଯନ୍ତ୍ରକାରୀ । ସେମାନେ ଯେଉଁ ହୀନ ଚକ୍ରାନ୍ତ କଲେ, ଓଡ଼ିଶାବାସୀ କଦାପି ଏହାକୁ ଗ୍ରହଣ କରିବେ ନାହିଁ । ମୁଁ ଆଶୀର୍ବାଦ ବେହେରାଙ୍କ ପୁଅ ।ବାପାଙ୍କୁ ଗିରଫ କରିବା ପରେ ମୁଁ ଆହୁରି ଷ୍ଟ୍ରଙ୍ଗ ହୋଇଯାଇଛି । ସବୁ ମେମ୍ବରମାନେ ବାପାଙ୍କୁ ଭଲ ପାଆନ୍ତି । ଆମେ ଯେତେ ଭୋଟ୍ରେ ଜିତିଥାନ୍ତୁ, ତା’ଠାରୁ ଅଧିକ ସଂଖ୍ୟାର ଭୋଟରେ ଜିତିବୁ । ଭଗବାନଙ୍କ ଆର୍ଶୀବାଦ ମୋ ଉପରେ ଅଛି । ମୁଁ ଲଢ଼ିବି । ଆସନ୍ତାକାଲି ମୁଁ ନୋମିନେସନ ଦାଖଲ କରିବି ।
ସଞ୍ଜୟ ଆହୁରି କହିଛନ୍ତି, ଓପିଏଲରେ ଅର୍ଥତତ୍ତ୍ୱ ଅର୍ଥ ଲଗାଇବା ନେଇ ସମସ୍ତେ ଅବଗତ ଥିଲେ । ତେବେ ଆଜି ସକାଳେ ଅତର୍କିତ ଭାବେ ସିବିଆଇର ୧୫ ରୁ ୨୦ ଜଣିଆ ଟିମ ଆସିଥିଲେ । କୋର୍ଟ ୱାରେଣ୍ଟ ବଳରେ ବାପାଙ୍କୁ ଗିରଫ କରାଯାଇଛି ବୋଲି ଜଣାଇଥିଲେ ।
ସୂଚନା ଅନୁଯାୟୀ, ଅର୍ଥତତ୍ୱ ଚିଟ୍ଫଣ୍ଡ ଲିଙ୍କ ମାମଲାରେ ପୂର୍ବରୁ ଆଶୀର୍ବାଦଙ୍କୁ ୩ଥର ସିବିଆଇ ଜେରା କରିସାରିଛି । ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ସିବିଆଇ ଚାର୍ଜ ସିଟ ଦାଖଲ କରିସାରିଛି । ଆଜି ଭୋରୁ ଆଶୀର୍ବାଦଙ୍କ ଘରେ ରେଡ କରିଥିଲା ସିବିଆଇ । ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।