ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ବରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୟାଗଡ଼ ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଜି ନୟାଗଡ ଗସ୍ତ କରି ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀଙ୍କୁ ଭେଟିଛନ୍ତି। ପୁରନ୍ଦେଶ୍ବରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ନୟାଗଡ଼ ଗସ୍ତ କରିଛନ୍ତି।
ପୁରନ୍ଦେଶ୍ବରୀ ସେଠାରେ ପହଞ୍ଚି ସମସ୍ତ ଘଟଣା ପଚାରି ବୁଝିବା ସହିତ ପରୀ ଶବ ଉଦ୍ଧାର ହୋଇଥିବା ସ୍ଥାନକୁ ମଧ୍ୟ ଯାଇଥିଲେ। ଏଥିସହିତ ସେ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟି ତଦନ୍ତ ପରୀ ପରିବାରକୁ ନ୍ୟାୟ ପ୍ରଦାନ କରିବନି, ବରଂ ଶାସକ ଦଳକୁ ଏହା ସୁରକ୍ଷା ଦେବ। ତେଣୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି।
ସୂଚନା ଅନୁସାରେ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ସେହି ମାସ ୨୩ ତାରିଖରେ ପରୀର ମୃତ ଦେହ ମିଳିଥିଲା। ଦୀର୍ଘ ୪ ମାସ ଧରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ ଧରିବାରେ ଫେଲ୍ ମାରିଥିଲା। ଏପରିକି ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ବିରୋଧୀ ଦଳ ଗୁରତର ସହକାରେ ଗ୍ରହଣ କରିଛି।