ଭାରତର ଆଇଏନଏସ ବିକ୍ରାନ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ଯାତ୍ରା କରିବାର ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ପାଲଟିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ । ଏହି ଅବସରରେ ତାଙ୍କୁ ନୌସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଏ ସଂପର୍କରେ ଆଲବାନିସ୍ ଏକ ବିବୃତିରେ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ମୁଁ ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଭାରତରେ ନିର୍ମିତ ଆଇଏନଏସ୍ ବିକ୍ରାନ୍ତରେ ସାମିଲ ହୋଇ ଗର୍ବ ଅନୁଭବ କରୁଛି ।
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତକୁ କେନ୍ଦ୍ରରେ ରଖିବା ପାଇଁ ମୋ ସରକାରଙ୍କ ପ୍ରତିବଦ୍ଧତାକୁ ମୋ ଗସ୍ତ ପ୍ରତିଫଳିତ କରୁଛି ।
ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ପ୍ରସଂଶା କରିଛନ୍ତି । ମୋଦୀଙ୍କ ସଂକଳ୍ପ ଓ ଦୂରଦୃଷ୍ଟି ଯୋଗୁଁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ଏକ ନୂଆ ସ୍ତରକୁ ଚାଲିଯାଇଛି ବୋଲି ସେ କହିଛନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ବନ୍ଧୁତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଲବାନିଜ ଏହି ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ସେ ଅହମ୍ମଦାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖିଥିଲେ । ଗତ କାଲି ସେ ଭାରତରେ ପହଞ୍ଚିବା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ବାଗତ କରିଥିଲେ । ତାପରେ ସେ ସାବରମତି ଆଶ୍ରମ ଯାଇଥିଲେ ।