ଦିଦିଙ୍କ ‘ଖେଲା ହୋବେ’, ଅଖିଳେଶଙ୍କ ‘ମେଲା ହୋବେ‘ ନାରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଲିକତାରେ ‘ଖେଲା ହୋବେ’ ନାରା ଦ୍ୱାରା ବିଜେପିକୁ ମାତ ଦେଇଥିବା ମମତାଙ୍କ ପରି ୟୁପି ରେ ବିଜେପିକୁ ମାତ ଦେବାକୁ ଅଖିଳେଶ ‘ମେଲା ହୋବେ‘ ନାରା ବ୍ୟବହାର କରୁଛନ୍ତି । କାରଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରୁ ମୁହଁ ଫେରାଇବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ହେବିୱେଟ ନେତା। ମଙ୍ଗଳବାରଠାରୁ ଉତ୍ତର ପ୍ରଦେଶ ବିଜେପିରେ ଆରମ୍ଭ ହୋଇଥିବା ଇସ୍ତଫା ପର୍ବ ଏଯାଏଁ କମିବାର ନାଁ ଧରୁନି । ଏଯାଏଁ ୩ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୧୦ ଜଣ ବିଜେପିରୁ ଇସ୍ତଫା ଦେଲେଣି। ଅନ୍ୟପଟେ ବିଜେପି ଛାଡୁଥିବା କିଛି ନେତା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିଥିବା ବେଳେ ଅନ୍ୟମାନେ ମଧ୍ୟ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ମିଶିବେ ବୋଲି କୁହାଯାଉଛି।
 
ଯୋଗୀଙ୍କ କ୍ୟାବିନେଟ୍‌ରେ ହେଭିଓ୍ବେଟ୍ ମନ୍ତ୍ରୀ କୁହାଯାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଦାରା ସିଂହ ଚୌହାନ ଇସ୍ତଫା ଦେବାପରେ ଗୁରୁବାର ପୁଣି ୟୁପି ସରକାରରେ ଆୟୁଷ ମନ୍ତ୍ରୀ ଥିବା ଧର୍ମ ସିଂହ ସୈନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଧର୍ମ ସିଂହ ଇସ୍ତଫା ଦେବା କ୍ଷଣି ଅଖିଲେଶ ଯାଦବ ଗୋଟିଏ ଫଟୋ ଟ୍ୱିଟ କରିଛନ୍ତି। ଏଥିରେ ତାଙ୍କ ସହ ଧରମ ସିଂହ ଛିଡ଼ା ହୋଇଛନ୍ତି। ଏହି ଟ୍ୱିଟରେ ସେ ‘ମେଲା ହୋବେ’ ବୋଲି ହ୍ୟାଶଟ୍ୟାଗ ବ୍ୟବହାର କରିଛନ୍ତି। ବିଜେପିରେ ଆରମ୍ଭ ହୋଇଥିବା ଇସ୍ତଫା ପର୍ବକୁ ନେଇ ମଧ୍ୟ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବହୁତ ଉତ୍ସାହିତ ଅଛନ୍ତି। ସେ ମଧ୍ୟ ଟ୍ବିଟ କରି କହିଛନ୍ତି ଅବହେଳିତମାନଙ୍କୁ ସମାଜବାଦୀ ପାର୍ଟି ଆପଣେଇବ । ସମସ୍ତେ ସମ୍ମାନ ପାଇବେ ଏବଂ ସମସ୍ତଙ୍କୁ ସଠିକ ସ୍ଥାନ ମିଳିବ।

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଟ୍ବିଟ୍‌ କରି କହିଛନ୍ତି, ‘ନାଗ ରୂପୀ ଆର୍‌ଏସ୍‌ଏସ୍‌ ଏବଂ ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ଶେଷ କରିକି ହିଁ ଦମ୍‌ ନେବ।ବିଧାୟକ ବିନୟ ଶାକ୍ୟ ଇସ୍ତଫା ଦେବାପରେ କହିଛନ୍ତି, ବିଜେପିରେ ନା କୌଣସି କାମ ହେଉଛି ନା କିଛି ସମ୍ମାନ ମିଳୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ ଚିଠି ଲେଖି ଶାକ୍ୟ କହିଛନ୍ତି, ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ବର୍ଗ ଏବଂ ଅଳ୍ପ ସଂଖ୍ୟକଙ୍କ ପାଇଁ କିଛି କାମ କରିବା ପାଇଁ ସୁଯୋଗ ଦିଆଗଲା ନାହିଁ । ବେରୋଜଗାରୀ ଏବଂ ଚାଷୀ ସମସ୍ୟା ରାଜ୍ୟରେ ପ୍ରମୁଖ ମୁଦ୍ଦା ହୋଇଥିବା ବେଳେ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଇସ୍ତଫା‌ ଦେବା ପରେ ବିଧାୟକ ମୁକେଶ ବର୍ମା କହିଛନ୍ତି ଯେ, ଆମ ସହିତ ୧୦୦ଜଣ ବିଧାୟକ ଅଛନ୍ତି। ଆଗକୁ ବିଜେପିକୁ ପ୍ରତିଦିନ ଝଟକା ମିଳିବ। ବିଜେପିରେ ଦଳିତ ତଥା ପଛୁଆ ବର୍ଗଙ୍କୁ ସମ୍ମାନ ନାହିଁ। ପଛୁଆ ବର୍ଗଙ୍କୁ ଟାର୍ଗେଟ କରି ଚାକିରି ଦିଆଯାଉ ନାହିଁ ବୋଲି ସେ ଦାବି କରିଛନ୍ତି। ଉତ୍ତରପ୍ରଦେଶ ରାଜନୀତିର ଏପରି ଗୋଳିଆ ପରିସ୍ଥିତି ମଧ୍ୟରେ ଭାରତୀୟ ଜନତା ପାର୍ଟି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୋଟ ୧୭୨ ଆସନରେ ବିଜେପି ମଇଦାନକୁ ଓହ୍ଲାଇବାକୁ ନିଶ୍ଚିତ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଛି । ବିଜେପି ୧୭୨ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରିଛି । ଏହି ସବୁ ଆସନ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ୧୦ ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏବଂ ବିଜେପି ରାଜ୍ୟ ମୁଖ୍ୟ  ଦେବ ସିଂହଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳ ବିଚାର କରୁଥିବା ଜଣାପଡ଼ିଛି ।

Leave a comment