ପ୍ରଶାସକ ନେଲେ ସ୍କୁଲ ଦାୟିତ୍ବ, ଶିକ୍ଷାମାନ ବୃଦ୍ଧି ସହ ହେବ ଉନ୍ନତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ ସ୍କୁଲର ଭିତ୍ତିଭୂମି, ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନେବାକୁ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ । ଏହି ମୋ ସ୍କୁଲ ଅଭିଯାନରେ ସାମିଲ ହେଲେ ପ୍ରଶାସନିକ ଅଧିକାରୀ । ୧୬ ଜଣ ବରିଷ୍ଠ ଅଧିକାରୀ ୧୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ୫ଟି ସଚିବ ଭି କେ ପଣ୍ଡିଆନ କ୍ୟାପିଟାଲ ହାଇସ୍କୁଲ ସହ ବିଭିନ୍ନ ସ୍କୁଲ ପରିଦର୍ଶନ କରିବାକୁ ଯାଇଥିଲେ । ସରକାରୀ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସଜାଡ଼ିବା ସହ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବା ବେଳେ ଏ ଦିଗରେ ଯଥା ସମ୍ଭବ ଚେଷ୍ଟା କରିବାକୁ ସମସ୍ତଙ୍କୁ କୁହାଯାଇଛି । ତେଣୁ ମୋ ସ୍କୁଲ ଅଭିଯାନରେ ପୋଷ୍ୟ ଛାତ୍ର ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ପୁରାତନ ଛାତ୍ର ଛାତ୍ରୀ ଓ ଇଛୁକ ବ୍ୟକ୍ତି ବିଶେଷ ୧୦୦ଟି ବିଦ୍ୟାଳୟର ୧୦୦୦ ଛାତ୍ର ଛାତ୍ରୀ ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ବିଷୟ ବୁଝିପାରିବେ ।
ଏହି କ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିଜେ ପଢିଥିବା କେନ୍ଦୁଝରର ଡ଼ି. ଏନ. ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୁପା ରୋସନ ସାହୁ ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ଶକ୍ତି ସଚିବ ନିକୁଞ୍ଜ ଧଳ ପାଠ ପଢିଥିବା ଯାଜପୁର ଜିଲ୍ଲା ବି. ଏସ. ହାଇସ୍କୁଲ, ପଞ୍ଚାୟତରାଜ ନିର୍ଦେଶକ ଅରବିନ୍ଦ ଡାକୁଆ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟଏବଂ ଗତପତି ଜିଲ୍ଲାପାଳ ଅନୁପମ ଶାହା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଏ ସବୁ ରୁ ଟିକେ ଆଗକୁ ଯାଇ ଗୋଟିଏ ବଦଳରେ ଦୁଇଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ପୂର୍ତ୍ତ ସଚିବ ଡା କ୍ରିଷ୍ଣନ କୁମାର । ସେ ଗଜପତି ଜିଲ୍ଲାର ଏମ ଆର ବାଳକ ଉଚ୍ଚ ବିଦ୍ୟାଳୟ, ଏମ ଆର ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଦୁଇଟି ଯାକ ସ୍କୁଲର ବିକାଶ ହେବା ସଙ୍ଗେ ସଙ୍ଗେ ଏହାକୁ ମଡେଲ ସ୍କୁଲର ରୂପଦେବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ଡା କ୍ରିଷ୍ଣନ କୁମାର ।
ମୋ ସ୍କୁଲ ଅଭିଯାନ ଆରମ୍ଭ ହେବାର ଦୁଇଦିନ ମଧ୍ୟରେ ୧୬ଜଣ ପ୍ରଶାସକ ୧୭ଟି ସରକାରୀ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିଛନ୍ତି । ସରକାରୀ ସ୍କୁଲରେ ଭିତ୍ତିଭୂମି ନଥିବା ଦର୍ଶାଇ ଅଭିଭାବକ ଘରୋଇ ସ୍କୁଲରେ ନିଜ ଛୁଆଙ୍କୁ ପଢ଼ୁଛନ୍ତି । ଏଥିରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ମୋ ସ୍କୁଲ ଅଭିଯାନକୁ ବ୍ୟାପକ କରିବାକୁ କହିଥିଲେ । ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗଚି ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୦୦ସ୍କୁଲ କୁ ମଡେଲ ସ୍କୁଲ କରିବା ନେଇ ଯୋଜନା ହୋଇଛି । ତେଣୁ ମୋ ସ୍କୁଲ ଅଭିଯାନକୁ ୫ ଟି ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପୁରାତନ ଛାତ୍ରଙ୍କ ଠାରୁ ୬୦୦କୋଟି ଟଙ୍କା ଓ ରାଜ୍ୟ ସରକାର ୧୨୦କୋଟି ଟଙ୍କା ସ୍କୁଲ ଗୁଡିକର ବିକାଶ ପାଇଁ ଅନୁଦାନ ପ୍ରଦାନ କରିସାରିଛନ୍ତି ।