୧୪ ବର୍ଷରେ ଓଡ଼ିଶା ପାଇଁ କ’ଣ କରିଛ ବିଜେପି ଓ ମୋଦିଙ୍କୁ ପ୍ରଶ୍ନ କଲେ ବିଜେଡ଼ି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଓଡ଼ିଶା ଗ୍ରସ୍ତ ରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ବିଜେଡି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ବିଜେପି ଓ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି, ବିଜେପି ୯ ବର୍ଷ କାଳ ବିଜେଡ଼ି ସହ ମେଣ୍ଟ ଶାସନରେ ଥିଲା । ବିଗତ ୫ ବର୍ଷ ହେବ ବିଜେପି କେନ୍ଦ୍ରରେ ଶାସନ କରୁଛି । ବିଜେଡିର ୧୯ବର୍ଷ ଶାସନ କାଳ ମଧ୍ୟରେ ବିଜେପି ବିଜେପି ୧୪ ବର୍ଷ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ସେହିପରି ବିଗତ ୫ ବର୍ଷରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି ଯେପରିକି କୋଷ୍ଟାଲ୍ ହାଇୱେ ନିର୍ମାଣ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ମେଡ଼ିକାଲ୍ କଲେଜର ପ୍ରତିଶ୍ରୁତି ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କୁ ପ୍ରଧାନମନ୍ତ୍ରୀ କିପରି ଭୁଲିଗଲେ । ଓଡିଶା ବାସୀଙ୍କୁ ଏହାର ଜବାବ କେବେ ଦେବେ ପ୍ରଧାନମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଡ. ସସ୍ମିତ୍ ପାତ୍ର ।

ଦୁର୍ଭାଗ୍ୟର କଥା, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି । ୩୩ଟି ଯୋଜନାରେ ଅର୍ଥକାଟ କରାଯାଇଛି । ବିଆରଜିଏଫ, ଆଇଏପି ଏବଂ କେବିକେ ଭଳି ୮ଟି ଯୋଜନାକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାବାସୀ ବିଜେପିକୁ ସେଥିପାଇଁ କ୍ଷମା ଦେବେ ନାହିଁ । ବିଜେପି ଶାସିତ ରାଜ୍ୟମାନଙ୍କରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି । ବରଂ ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଯେଉଁଥିରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି ତାହା ଆର୍ନ୍ତଜାତୀୟସ୍ତରରେ ଆଦୃତ ଲାଭ କରିଛି । ‘କାଳିଆ’ ଯୋଜନାକୁ ଦେଶ ବିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ୍ ମଡ଼େଲ ଭାବେ ଗ୍ରହଣ କରିଥିବାବେଳେ ଦୁର୍ଭାଗ୍ୟର କଥା ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ ରହିବା ଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଜେପି ପାର୍ଟିରେ ବିଶ୍ୱାସ କରେ, ମାଟିରେ ନୁହେଁ । ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ୱାସ କରେ, ପାର୍ଟିରେ ନୁହେଁ । ଓଡ଼ିଶାବାସୀ ଏହା ବୁଝିସାରିଛନ୍ତି । ଆଗାମୀ ନିର୍ବାଚନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ୱ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ରେକର୍ଡ ପଞ୍ଚମ ଥର ପାଇଁ ନିର୍ବାଚିତ କରିବେ ଏବଂ ୨୧ ଟି ଲୋକସଭା ଆସନରେ ବିଜେଡ଼ିକୁ ଆଶୀର୍ବାଦ କରିବେ ।

Leave a comment