ରେସ୍କ୍ୟୁ ଅପରେସନ୍ର ସଫଳତା ସହ ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦୀର୍ଘ ୧୭ ଦିନ ଧରି ଉତ୍ତରକାଶୀ ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି।
ଟନେଲ୍ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କରୁଛନ୍ତି ରାଷ୍ଟ୍ରପତି । ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ଦେଶ ସାଲ୍ୟୁଟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି ରେସ୍କ୍ୟୁ ଅପରେସନ୍ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ସମସ୍ତଙ୍କୁ ଭାବବିହ୍ବଳ କଲା ଭଳି ସମୟ। ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ପ୍ରେରଣା ଦାୟକ ।ସାହସ ଓ ସଂକଳ୍ପର ଶକ୍ତି ନୂତନ ଜୀବନ ଦେଇଛି ବୋଲି ପ୍ରଧନାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସେହିପରି ଶ୍ରମିକମାନଙ୍କର ସଫଳ ଉଦ୍ଧାର କାର୍ଯ୍ୟର ଖବର ଆସିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ଧରି ଏହି ଅପରେସନରେ ନିୟୋଜିତ ଥିବା ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଫସିରହିଥିବା ସମସ୍ତ ଶ୍ରମିକ ନିରାପଦରେ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରମିକ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।