ଭିସ୍ତାରା ବିମାନକୁ ବିସ୍ଫୋରଣରେ ଉଡାଇ ଦେବାର ଧମକ
ଦିଲ୍ଲୀ ଏୟାରପୋର୍ଟରେ ଭିସ୍ତାରା ଏୟାର ଲାଇନ୍ସର ବିମାନକୁ ବିସ୍ଫୋରଣ କରି ଉଡାଇ ଦେବାର ଧମକ। ଜିଏମ୍ଆର କଲ୍ ସେଣ୍ଟରକୁ ଶୁକ୍ରବାର ସକାଳ ୮ଟା ୫୩ ମିନିଟ୍ରେ ବିମାନରେ ବମ୍ ଥିବାର ଏକ କଲ୍ ଆସିଥିଲା। ଏହି ଫୋନ୍ କଲ୍ରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ବିମାନକୁ ବମ୍ରେ ବିସ୍ଫୋରଣ କରି ଉଡାଇ ଦେବାର ଧମକ ଦିଆଯାଇଥିଲା।
ଏହାପରେ ବିମାନ ଭିତରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯିବା ସହ ସେଥିରେ କୌଣସି ବମ୍ ଅଛି କି ନାହିଁ ସେଥିପାଇଁ ଆରମ୍ଭ ହୋଇଥିଲା ଯାଞ୍ଚ।
ଏୟାରପୋର୍ଟର ଆଇସୋଲେସନ୍ ଓ୍ବେରେ ବିମାନର ଯାଞ୍ଚ କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ତାଙ୍କ ଜିନିଷ ସହିତ ସୁରକ୍ଷିତ ବାହାର କରାଯାଇଛି। ଏପର୍ଯ୍ୟନ୍ତର ଯାଞ୍ଚରେ ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ଥିବା ନେଇ ସୂଚନା ମିଳି ନାହିଁ। ବିମାନ ଭିତର ଓ ବାହାରକୁ ସମ୍ପୂର୍ଣ୍ଣ ଭାବରେ ସର୍ଚ୍ଚ କରାଯାଇଥିଲା, କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା।
ପୋଲିସର କହିବା ଅନୁସାରେ, ବିମାନରେ କିଛି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା। ତଲାସୀ ଅଭିଯାନ ଶେଷ ହୋଇଛି ଓ ବମ୍ର କଲ୍କୁ ହକ୍ସ କଲ୍ ଡିକ୍ଲାର କରାଯାଇଥିଲା। ଦିଲ୍ଲୀ ପୋଲିସ ନକଲି କଲ୍ କରି ବମ୍ ଥିବା ନେଇ ମିଛ ସୂଚନା ଦେଇଥିବା ବ୍ୟକ୍ତି ବିରୋଧରେ ଏଫ୍ଆଇଆର ରୁଜୁ କରି ତା’ର ସନ୍ଧାନରେ ରହିଛି।