ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ସୁରକ୍ଷିତ
ଗୁରୁବାର କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାକାଲି ଗ୍ରାମ ନିକଟରେ ଭାରତୀୟ ବାୟୁସେନାର ଏକ ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ମହିଳା ପାଇଲଟଙ୍କ ସମେତ ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି । ଆଇଏଏଫ୍ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ କହିଛନ୍ତି ଯେ ଏହି ବିମାନ ଏକ ଖୋଲା ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ଉଭୟ ପାଇଲଟ ଦୁର୍ଘଟଣା ପୂର୍ବରୁ ନିରାପଦରେ ବିମାନରୁ ଡେଇଁପଡିଥିଲେ । ଏହି ପ୍ରଶିକ୍ଷଣ ବିମାନ ବେଙ୍ଗାଲୁରର ବାୟୁସେନା ବେସରୁ ଉଡାଣ ଭରିଥିଲା । ଏହା ସକାଳ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ପାଇଲଟ ତେଜପାଲ ଏବଂ ଭୁମିକା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଏଥିରେ କେହି ପ୍ରାଣ ହରାଇ ନାହାଁନ୍ତି।
ବାୟୁସେନା ଟ୍ବିଟ୍ କରି କହିଛି ଯେ, ଦୁର୍ଘଟଣା ଘଟିଥିବା ବେଳେ ପାଇଲଟ ମାନେ ନିତ୍ୟ ପ୍ରଶିକ୍ଷଣରେ ଥିଲେ । ଦୁର୍ଘଟଣା ଘଟିବା ସମୟରେ ଉଭୟ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ଚାଲିଆସିଥିଲେ । ଘଟଣାର ଅନୁସନ୍ଧାନ ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ଏବଂ ବାୟୁସେନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନାଥାଉକି, ଗତ ମାସରେ ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନାର ଏକ ମିଗ୍ -21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।