ନବ ନିର୍ମାଣ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଲା ଭାଜପା, ଅନୁରୋଧ କଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୨୧ରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ଦାବି ନେଇ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ରାଜଧାନୀରେ ଆନ୍ଦୋଳନ କରିବା ପାଇଁ ଚେଷ୍ଟା କରାଯାଇଛି ହେଲେ ସରକାର ଏହା କରାଇ ଦେଇନାହାନ୍ତି, ଯାହାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ସଙ୍ଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ସଙ୍ଗଠନର ଏହି ବନ୍ଦ ଡାକରାକୁ ଭାଜପା ସମର୍ଥନ କରିବ ବୋଲି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଅପରପକ୍ଷରେ ନବ ନିର୍ମାଣ ସଙ୍ଗଠନ ଏହି ବନ୍ଦ ପାଳନରୁ ନିବୃତ୍ତ ରୁହନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନବନିର୍ମାଣ କୃଷକ ସଙ୍ଗଠନ ୨୧ରେ ଓଡିଶା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ସମୟରେ ରାସ୍ତା ଅବରୋଧ ସହିତ ଯାନବାହାନ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବା ଲାଗି ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି । ମାଟ୍ରିକ ପରୀକ୍ଷା ଆସନ୍ତା ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ସମସ୍ତ କେନ୍ଦ୍ରକୁ ପୂର୍ବଦିନ ଅର୍ଥାତ୍ ୨୧ତାରିଖରେ ପଠାଯିବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ୬ଲକ୍ଷ ପରୀକ୍ଷାର୍ଥୀ, ଅଭିବାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବେ । ଏଣୁ ପରୀକ୍ଷାର୍ଥୀମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନବନିର୍ମାଣ କୃଷକ ସଙ୍ଗଠନ ବନ୍ଦ ଡାକରାରୁ ନିବୃତ୍ତ ରହିବା ଲାଗି ଅନୁରୋଧ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।