ନ୍ୟୁଜିଲାଣ୍ଡ ଭୂକମ୍ପ ଝଟକା, ସୁନାମୀ ଚେତାବନୀ ଦେଲା ୟୁଏସ୍ଜିଏସ୍
ନ୍ୟୁଜିଲାଣ୍ଡର ରିଙ୍ଗ୍ ଅଫ୍ ଫାୟାର୍ରେ ଥିବା କରମାଡେକ୍ ଆଇଲ୍ୟାଣ୍ଡ୍ରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ୍ ଜିଓଲଜିକାଲ୍ ସର୍ଭେ (ୟୁଏସ୍ଜିଏସ୍) ଅନୁସାରେ ଏହାର ତୀବ୍ରତା ୭.୧ ରହିଥିବା ବେଳେ ଏହାର କେନ୍ଦ୍ର ଭୂପୃଷ୍ଠର ୧୦ ମିଟର ଗଭୀରରେ ଥିଲା । ମାତ୍ର ନାସ୍ନାଲ୍ ସେଣ୍ଟର ଫର୍ ସିସ୍ମୋଲଜି (ଏନ୍ସିଏସ୍)ର କହିବା ଅନୁସାରେ ତୀବ୍ରତା ୬.୮ ଏବଂ କେନ୍ଦ୍ରସ୍ଥଳ ଭୂମିର ୪୧ କିମି ଗଭୀରରେ ଥିଲା ।
ଭୂକମ୍ପ ପରେ ୟୁଏସ୍ଜିଏସ୍ ସୁନାମୀ ଚେତାବନୀ ଜାରି କରିଥିବା ବେଳେ ସୁନାମୀର କୌଣସି ବିପଦ ନାହିଁ ବୋଲି ନ୍ୟୁଜିଲାଣ୍ଡର ଏମର୍ଜେନ୍ସି ମ୍ୟାନେଜମେଣ୍ଟ୍ ଏଜେନ୍ସି କହିଛି ।
ତେବେ ଏହି ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତିର ଖବର ନାହିଁ । ଏହା ପୂର୍ବରୁ ଫେବୃଆରୀ ୧୫ ତାରିଖରେ ନ୍ୟୁଜିଲାଣ୍ଡ ରାଜଧାନୀ ୱେଲିଂଟନ୍ ସମେତ ଅକ୍ଲାଣ୍ଡ ଏବଂ କ୍ରାଏଷ୍ଟଚର୍ଚ୍ଚ ସହରରେ ମଧ୍ୟ ୩୦ ସେକେଣ୍ଡ୍ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ପରପରୋମ ସହରଠାରୁ ୫୦ କିମି ଦୂରରେ ଥିଲା । ଏହାର କିଛି ସମୟ ପରେ ୪.୦ ତୀବ୍ରତାର ଦ୍ୱିତୀୟ ଝଟ୍କା ମଧ୍ୟ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।