ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍ଘାଟିତ । ଦେଶବାସୀଙ୍କ ପାଇଁ ଆଦର୍ଶ ପାଲଟିଛି କାଳିଆ ଯୋଜନା – ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରମୁଣ୍ଡା ପଡିଆଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ କୃଷି ଓଡ଼ିଶା କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ଏବେ ସାରା ଦେଶରେ ଆଦର୍ଶ ଯୋଜନା ପାଲଟିଛି ‘କାଳିଆ’ ଯୋଜନା । ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ । ଚାଷୀମାନେ କାଳିଆ ଯୋଜନାରେ ପାଇଥିବା ଅର୍ଥକୁ ଠିକ୍ ଭାବେ ଉପଯୋଗ କଲେ ମୁଁ ଖୁସି ହେବି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ଆଜି ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆସନ୍ତା ୨୫ ତାରିଖରୁ ଫେବୃୟାରୀ ୫ ତାରିଖ ଯାଏ ଚାଲିବ । ଏହାଦ୍ୱାରା ସମସ୍ତ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଉପକୃତ ହେବେ । ଏହି ଯୋଜନା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଜଳସେଚନ ପାଇଁ ରାଜ୍ୟ ସରକାର ୩୦ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଛି । ରାଜ୍ୟର କୃଷକମାନଙ୍କ ଉଦ୍ୟମ ପାଇଁ ଓଡ଼ିଶା ଗତ ୫ ବର୍ଷ ଧରି ଲଗାତର କୃଷି କର୍ମଣ ପୁରଷ୍କାର ପାଇ ଆସୁଛି । ଏହି କୃଷି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର କମିସନର ତଥା ସଚିବ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ ।