ରକ୍ତକୁ ନେଇ ବିଧାୟକଙ୍କ ରାଜନୀତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ରକ୍ତର ଅଭାବରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଥିବା ବେଳେ ଖୋଦ ରାଜଧାନୀରେ ରକ୍ତ ସଂଗ୍ରହ ଅଭିଯାନକୁ ବିରୋଧ କରି ହୀନ ରାଜନୀତି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ବ୍ଲଡ଼ବ୍ୟାଙ୍କରେ ରକ୍ତ ଅଭାବ ଥିବା ଖବର ପାଇ “ଉଇ ଫର ଭୁବନେଶ୍ୱର” ନାମକ ଏକ ସ୍ବେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ଆଚର୍ଯ୍ୟବିହାର କ୍ଲବ ଠାରେ ଗତକାଲି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ପୂର୍ବତନ କର୍ପୋରେଟର ଯୋଗଦାନ କରିଥିଲେ । ଏହି ରକ୍ତଦାନ ଶିବିରରୁ ୧୫୦ ରୁ ୨୦୦ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକ୍ଷଣି ସାଇନ୍ସ ପାର୍କ ନିକଟସ୍ଥ ବସ୍ତିର ମହିଳା ମାନେ ସେଠାରେ ପହଞ୍ଚିବା ସହ ଆୟୋଜିତ ସ୍ବେଚ୍ଚାସେବୀ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ କ୍ଲବରେ ତାଲା ପକାଇ ଅଟକ ରଖିଥିଲେ । ଏପରିକି ସେଠାରେ ଲାଗିଥିବା ବ୍ୟାନର ଚିରି ଫୋଫାଡ଼ି ଦେଇଥିଲେ । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଏହି ରକ୍ତଦାନ ଶିବିରକୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସ୍ଥାନୀୟ କର୍ପୋରେଟରଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନାହିଁ । ସେହିପରି ଏହି ଘଟଣା ପରେ ମଧ୍ୟ ବିଧାୟକଙ୍କ ସମର୍ଥକମାନେ କହିଛନ୍ତି, “ଏଭଳି କାର୍ଯ୍ୟକ୍ରମ ବନ୍ଦ କରିବା ଆମପାଇଁ ସାଧାରଣ ଘଟଣା । ଯେଉଁ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ନିମନ୍ତ୍ରଣ କରାନଯିବ ସେସବୁ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଆମେ ବନ୍ଦ କରିବୁ । ଆଗରୁ ଅନେକ ବଡ ଘଟଣାରେ ଆମ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ, କି ଏବେବି ଆମର କେହି କିଛି କରିପାରିବେ ନାହିଁ “।

ଅପରପକ୍ଷରେ ବସ୍ତି ବାସିନ୍ଦାଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ବେଚ୍ଚାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ଦୃଢ଼ ନିନ୍ଦା କରିବା ସହ ବିଧାୟକଙ୍କର ଏହା ଏକ ହୀନ ରାଜନୀତି ବୋଲି ମତ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ” ଆମେ ସ୍ଥାନୀୟ କର୍ପୋରେଟରଙ୍କ ସହିତ କଥା ହୋଇଥିଲୁ । ସେ କହିଥିଲେ, ତୁମେ ଯାହାକୁ ଚାହୁଁଛ ନିମନ୍ତ୍ରଣ କର ଏଥିରେ କୌଣସି ଅସୁବିଧା ନାହିଁ । ତେବେ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏପରି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ । କାରଣ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ଭୁବନେଶ୍ୱର ବ୍ଲଡ଼ ବ୍ୟାଙ୍କର ଆବଶ୍ୟକତା ଥିଲା । ମାତ୍ର ରକ୍ତକୁ ନେଇ ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ ” ।

ରାଜନେତାଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ରକ୍ତଦାନ ପରି ମହତ କାର୍ଯ୍ୟରେ ବାଧା ସୃଷ୍ଟି କରି ବିଧାୟକ ଏବଂ ସ୍ଥାନୀୟ କର୍ପୋରେଟର ନିଜ ମନ୍ଦ ବୁଦ୍ଧିର ପ୍ରମାଣ ଦେଇଥିବା କହିଛନ୍ତି ।

SOA Festival
Leave a comment