ରାଜ୍ୟ ସରକାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ। ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨ କୋଟିର ନାଲକୋ କନଭେୟର ପ୍ଲାଣ୍ଟ। ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ।
ଏଥିପାଇଁ ୧୬୭ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ। ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ। ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ। ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ। ଏଥିପାଇଁ ୧୨୮ କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ। ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା ଆଇଟି ଶିଳ୍ପ ପାଇଁ ସିଟିଆର୍ଏଲ୍ଏସ୍ ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା।