ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ସରକାରୀ ଅଫିସର ନିରଂଜନ ସେଠୀ ଗିରଫ
ସର୍ମିଷ୍ଠାଙ୍କ ଖବରକାଗଜର ଆପ୍ରୁଭାଲ ହେବ କି ଯାଞ୍ଚ ?
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଭଦ୍ରକ ପୋଲିସକୁ ମିଳିଲା ବଡ ସଫଳତା । ଏହି ହତ୍ୟାକାଣ୍ଡରେ ଅବସରପ୍ରାପ୍ତ ସରକାରୀ ଅଫିସର ତଥା ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ନିରଂଜନ ସେଠୀଙ୍କୁ ପୋଲିସ ଗିରଫ କରିବା ସହ ଏକ ମୋବାଇଲ ଦୋକନୀ ରଂଜନ ନାୟକ ମଧ୍ୟ ଗରଫ ହୋଇଛନ୍ତି । ମାତ୍ର ମାଷ୍ଟରମାଇଣ୍ଡ ସର୍ମିଷ୍ଠା ରାଉତ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଅତିରିକ୍ତ ଏସପି ଯତୀନ ପଣ୍ଡା ସୂଚନା ଦେଇଛନ୍ତି ।
ଏକ ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଯତୀନ ପଣ୍ଡା କହିଛନ୍ତି, ଫଟୋ ଗ୍ରାଫର ମାନସ ସ୍ୱାଇଁକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱର ଏୟାରଫିଲ୍ଡ ଅଂଚଳରେ ଥିବା ଦୟାଲ ଆଶ୍ରମକୁ ନିଆଯାଇଥିଲା । ସେଠାରେ ତାଙ୍କୁ କିଛି ମାରଣାସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଠ ପାଇଁ ଶବକୁ ନୟାଗଡରେ ପୋତି ଦିଆଯାଇଥିଲା । ଏହି ଘଟଣାରେ ପୂର୍ବତନ ସରକାରୀ ଅଫିସର ନିରଂଜନ ସେଠୀ ଓ ରଂଜନ ନାୟକଙ୍କ ସଂପୃକ୍ତି ରହିଥିଲା । ପୋଲିସ ତଦନ୍ତ ବେଳେ ଏମାନଙ୍କ ସଂପୃକ୍ତି ଆସିବା ପରେ ଆଜି ପୋଲିସ ସେମାନଙ୍କୁ ଗିରଫ କରିଛି । ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟରେ ଏମାନଙ୍କ ସଂପୃକ୍ତି ରହିଛି । ଏହି ଘଟଣାରେ ସାପ୍ତାହିକ ଖବରକାଗଜ ମାଲିକାଣୀ ସର୍ମିଷ୍ଠା ରାଉତଙ୍କ ସମେତ ଆହୁରି ଅନେକଙ୍କ ସଂପୃକ୍ତି ରହିଛି ।ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।
ଅପରପକ୍ଷରେ ନିରଂଜନ ସେଠୀ ଗିରଫ ପରେ ସର୍ମିଷ୍ଠାଙ୍କ ଖବରକାଗଜ ‘ସମ୍ପୂର୍ଣ୍ଣା’ କୁ ସେ ଅହେତୁକ ଅନୁକମ୍ପା ଦେଖାଇଥିବା ସ୍ପଷ୍ଟ ହୋଇଛି । କାରଣ ଶ୍ରୀସେଠୀ ଅବସର ନେବାର ଠିକ ପୂର୍ବରୁ ଉକ୍ତ ପେପରକୁ ସରକାରୀ ସିକୃତି ଦେଇଥିଲେ । ଯେଉଁ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମୁଖ୍ୟ ନିର୍ଦ୍ଦେଶକ ନିର୍ବାଚନ ଡ୍ୟୁଟିରେ ଥିଲେ ଓ ଶ୍ରୀସେଠୀ ଚାର୍ଜରେ ଥିଲେ, ସେହି ସମୟରେ ଅତି ତରବରିଆ ଭାବେ ସର୍ମିଷ୍ଠାଙ୍କ ପେପରକୁ ସରକାରୀ ଆପ୍ରୁଭାଲ ମିଳିଥିଲା । ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।
ସେହିପରି ମାନସ ପାଖରେ ଥିବା ମେମୋରି ଚିପରେ କ’ଣ ଅଛି, ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଚିପରେ ଏମିତି କିଛି ଜିନିଷ ଅଛି, ଯାହା ପାଇଁ ଅପହରଣ ଓ ହତ୍ୟାକାଣ୍ଡ ଘଟିଲା ଓ ଏଥିରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହେଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚିପରେ ଶ୍ରୀ ସେଠୀଙ୍କର କିଛି ତଥ୍ୟ ନାହିଁ ତ? ଯେଉଁଥି ପାଇଁ ସେ ହତ୍ୟାକାଣ୍ଡରେ ସଂପୃକ୍ତ ହେବାକୁ ବାଧ୍ୟ ହେଲେ? ସର୍ମିଷ୍ଠାଙ୍କ ସହ କେଉଁ ବଡ ବଡିଆ ରାଜ୍ୟ ବାହାରକୁ ଯାଇଛନ୍ତି? ସେମାନଙ୍କର ସର୍ମିଷ୍ଠାଙ୍କ ସହ କଣ ସମ୍ପର୍କ ରହିଛି? ଏଭଳି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଚିପ ମିଳିବା ପରେ ଏହାର ରହସ୍ୟ ଖୋଲିବ ବୋଲି ପୋଲିସ କହିଛି ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ ୭ ତାରିଖରେ ନୟାଗଡ଼ ରଣପୁର ଅଞ୍ଚଳର ମାନସ ସ୍ଵାଇଁ ଚାନ୍ଦବାଲିକୁ ଏକ ବାହାଘରରେ ଫଟୋ ଉଠାଇବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ବରରୁ ୫ ଜଣ ଆସି ମାନସକୁ ଅପହରଣ କରି ନେଇଥିଲେ । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ୧୪ ତାରିଖରେ ଅଭିଯୋଗ କରାଯାଇଥିଲା । ଚାନ୍ଦବାଲି ଥାନା ଅଧିକାରୀ ଘଟଣାକୁ ଗରୁତ୍ବର ସହ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ପରେ ପୋଲିସ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧୂପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଉଦ୍ଧାର କରିଥିଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।