ତିନି ବିଧାୟକଙ୍କ ଘର ଆଗରେ ମାଳ ମାଳ ଆଶାୟୀ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତି ସରିବା ପୂର୍ବରୁ ବାଜିଲା ପୌର ନିର୍ବାଚନ ବିଗୁଲ । ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରତି ଲୋକଙ୍କ ଆସ୍ଥା ସ୍ପଷ୍ଟ ବାରିହେଇ ପଡୁଛି, କାରଣ ପୌର ନିର୍ବାଚନ ବିଗୁଲ ବାଜିବା ମାତ୍ରେ ଆଶାୟୀ ବ୍ୟାକୁଳ ହୋଇ ଦୌଡୁଛନ୍ତି ଭୁବନେଶ୍ୱରର ୩ ବିଧାୟକଙ୍କ ଘରକୁ । ବିଧାୟକଙ୍କ ଘର ଆଗରେ ଦେଖିବାକୁ ମିଳୁଛନ୍ତି ମାଳମାଳ ଆଶାୟୀ । ହାତରେ ରହିଛି ନିଜ ବାଇଓଡାଟା । ମନରେ ଅନେକ ଆଶା କାଳେ ସରକାରୀ ଦଳରୁ ଖଣ୍ଡେ ଟିକେଟ ମିଳିଯିବକି ? କେବଳ ଯେ ନୂଆ ଚେହେରା ଏଠାରେ ଦେଖାଯାଉଛନ୍ତି ତାହା ନୁହେଁ ପୁରୁଣା କର୍ପୋରେଟର ମାନଙ୍କ ଛାତି ମଧ୍ୟ ଜୋରରେ ଧଡ଼ ଧଡ଼ ହେଉଛି । କାଳେ ନିଜ ୱାର୍ଡର ଟିକେଟ କଟି ଯିବନି ତ ? କୌଣସି ନୂଆ ପ୍ରାର୍ଥୀ ଟିକେଟ ଛଡାଇ ନେବନି ତ ? ତେଣୁ ସେମାନେ ମଧ୍ୟ ସକାଳ ନ ପାହୁଣୁ ଦୌଡୁଛନ୍ତି ବିଧାୟକ ବାବୁଙ୍କ ଘରକୁ । ତାଙ୍କ ଚେହେରା ଦେଖିଥିଲେ ଟିକେଟ ବଣ୍ଟନ ସମୟରେ କାଳେ ତାଙ୍କ କଥା ମନେପଡିଯିବ ଆଉ ତାଙ୍କୁ ଦଳୀୟ ଟିକେଟ ମିଳିଯିବ । କାରଣ ଏହି ତିନି ବିଧାୟକ ନବୀନ ନିବାସକୁ ସେମାନଙ୍କ ନାଁ ରେ ଦଳୀୟ ପ୍ରାର୍ଥୀ ମୋହର ଲାଗିବାକୁ ପଠାଇବେ ।

ପ୍ରତି ୱାର୍ଡରୁ ତିନି ଜଣ ଲେଖାଏଁ ଆଶାୟୀ ପ୍ରାର୍ଥୀଙ୍କ ନାଁ ସେମାନେ ନବୀନ ନିବାସକୁ ପଠାଇ ଥିବା ସୂଚନା ମିଳିଥିବା ବେଳେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଯେଉଁ ଯୋଗ୍ୟ ଆଶାୟୀଙ୍କ ଟିକେଟ କାଟିବ ସେମାନଙ୍କ ଅସନ୍ତୋଷକୁ ଦଳ କିପରି ଶାନ୍ତ କରିବ । ଯାହାକି ବିଜେଡ଼ି ପାଇଁ ସବୁଠାରୁ ଅଧିକ ଚିନ୍ତାର ବିଷୟ ରହିବ । ଚୟନ କାର୍ତ୍ତା ଥିବା ଜଣେ ପୂର୍ବତନ ଆଇଏଏସ ଏବଂ ଓଏସ ଅଫିସରଙ୍କ ରକ୍ତଚାପ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀ ବଢାଇବା ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି । ଭୁବନେଶ୍ୱର ମଧ୍ୟମରେ ସବୁଠାରୁ ଅଧିକ ଅସନ୍ତୋଷ ଦେଖାଯିବା ନେଇ ରାଜନୈତିକ ବିଶେଷଜ୍ଞ ମଧ୍ୟ ଆଶଙ୍କା କରୁଛନ୍ତି । କାହିଁକି ନା ଟିକେଟ ମିଳିବା ପୂର୍ବରୁ ମଧ୍ୟମର ପ୍ରତେକ ୱାର୍ଡରେ ୫/୬ ଜଣ ଆଶାୟୀଙ୍କ ପୋଷ୍ଟର ଦେଖିବାକୁ ମିଳୁଛି । ସେହି ଆଶାୟୀଙ୍କ ମଧ୍ୟରେ ଚାଲିଛି ଛକ୍କାପଞ୍ଜା । ମଧ୍ୟମ ବିଜେଡ଼ି ପାଇଁ ଯାହାକି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ସେହିପରି ଟିକେଟ ପାଇବାକୁ ଯାହାକୁ ଦଳ ପକ୍ଷରୁ ସ୍ଥିର କରାଯାଇଛି ସେମାନଙ୍କୁ ଉକ୍ତ ତିନି ବିଧାୟକ ଗୁପ୍ତରେ ଆଶ୍ୱାସନା ଦେବା ସହ ନିଜ ନିଜ ଅଂଚଳରେ ଲୋକଙ୍କ ପାଖକୁ ଯିବାକୁ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

କିଛି ୱାର୍ଡ ସଂରକ୍ଷିତ ରହିଥିବାରୁ ଅନେକ ହେଭିୱେଟ କର୍ପୋରେଟର ପ୍ରାର୍ଥୀ ହେବାରୁ ବଞ୍ଚିତ ରହିଛନ୍ତି । ତେଣୁ କିପରି ସେମାନଙ୍କ ସମର୍ଥକଙ୍କୁ ଟିକେଟ ମିଳିବ ତାକୁ ନେଇ ବିଧାୟକଙ୍କ ପାଖରେ ଲବି କରୁଛନ୍ତି । ହେଲେ ରାଜନୀତିରେ କେତେବେଳେ କାହା ପଲ୍ଲା ଭାରି ରହିବ । କିଏ କାହା ଟିକେଟ ହାତେଇ ନେବ ତାହା କୁହାଯାଇ ନପାରେ । ଯେପର୍ଯ୍ୟନ୍ତ ଦଳ ତରଫରୁ ଟିକେଟ ବଣ୍ଟନ କାର୍ଯ୍ୟକ୍ରମ ନ ସରିଛି ସେପର୍ଯ୍ୟନ୍ତ ଆଶାୟୀଙ୍କୁ ଏଭଳି ବିଧାୟକଙ୍କ ଘର ସାମ୍ନାରେ ଦେଖିବାକୁ ମିଳିବା ନେଇ ରାଜଧାନୀରେ ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା କେତେଜଣ ଆଶାୟୀ ନିଜ ଆଶା ପୂରଣ କରିବାକୁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିରେ ସଫଳ ହେଉଛନ୍ତି ।

ଅପରପକ୍ଷରେ ଖାଁ ଖାଁ ବିଜେପି କାର୍ଯ୍ୟାଳୟ ଏବଂ କଂଗ୍ରେସ ଭବନ । ଏଠି ଦେଖାଯାଉନି ଆଶାୟୀଙ୍କ ଭିଡ଼ । ଟିକେଟ ନେବାକୁ ପ୍ରାର୍ଥୀ ଆଗ୍ରହୀ ନୁହଁନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ବିଜେପି ଏବଂ କଂଗ୍ରେସ ଟିକେଟ ନାଁ ଶୁଣି କିଏ ମୁହଁ ମୋଡ଼ିଲାଣି ତ କିଏ ନାକ ଟେକିଲାଣି । ତେଣୁ ଦିନକୁ ଦିନ ଦଳର ଚିନ୍ତା ବଢ଼ିବାରେ ଲାଗିଛି । କିପରି ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେବେ ଏବଂ ନିଜ ଦଳର ସଂମ୍ମାନ ରକ୍ଷାକରିବେ ।

Leave a comment