ଶାରୀରିକ ସମ୍ପର୍କ ପରେ ଠକିଦେଲା ପ୍ରେମିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ । ପ୍ରେମିକକୁ ନିଜ ସାତ ଜନମର ସାଥୀ ଭାବି ନେଇଥିଲେ ପ୍ରେମିକା । ବିଶ୍ୱାସରେ ପ୍ରେମିକ ଆଗରେ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ । ମନ, ପ୍ରାଣ, ହୃଦୟ ସବୁ ଅଜାଡ଼ି ଦେଇଥିଲେ । ଧୋକାବାଜ୍‌ ପ୍ରେମିକର କିନ୍ତୁ ଉଦ୍ଦେଶ୍ୟ ମନ୍ଦ ଥିଲା । ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରେମିକାକୁ ପ୍ରତାରଣା ଆରମ୍ଭ କରିଦେଲା । ଯାହାକୁ ନେଇ ପ୍ରେମିକା ମହିଳା ଥାନାର ଦ୍ୱାରସ୍ଥ ହେଲେ । ପୁଲିସ ଉଭୟଙ୍କୁ ବିବାହ ପାଇଁ ନିର୍ଦ୍ଦେଶ ଦେଲା । ଏହାସତ୍ତେ୍ୱ ଧୋକାବାଜ୍‌ ପ୍ରେମିକ ଯୌତୁକ ଆଳ ଦେଖାଇ ପ୍ରେମିକାକୁ ଠକି ଚାଲିଲା । ଶେଷରେ ବାଧ୍ୟ ହୋଇ ସୁଦୂର ଭୁବନେଶ୍ୱରରୁ ରଗଡ଼ି ଅଞ୍ଚଳକୁ ଧାଇଁ ଆସି ପ୍ରେମିକ ଦୁଆରେ ପ୍ରେମିକା ଧାରଣା ଦେଇଛନ୍ତି । ଏହି ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଅନ୍ଧାରୀ ପଞ୍ଚାୟତ ରଗଡ଼ି ଗ୍ରାମର ରବୀନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ ରଞ୍ଜନ ଭୁବନେଶ୍ୱରରେ ଏକ ହୋଟେଲରେ କାମ କରେ । ଏହି ସମୟରେ ରବୀନ୍ଦ୍ରଙ୍କର ଏୟାରଫିଲ୍ଡ ଥାନା ପୋଖରୀପୁଟ୍‌ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ଧୀରେଧୀରେ ସମ୍ପର୍କ ନିବିଡ଼ ହୋଇଥିଲା । ଦୀର୍ଘ ଦେଢ଼ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଲା । ଏହି ସମୟ ଭିତରେ ରଞ୍ଜନ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ବିବାହ ପାଇଁ ମନା କରିଦେଲା । ଏଣୁ ନ୍ୟାୟ ପାଇଁ ପ୍ରେମିକା ଜଣଙ୍କ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ ଉଭୟ ପକ୍ଷ ମହିଳା ଥାନାରେ ପହଞ୍ଚିଥିଲେ । ପୁଲିସ ମଧ୍ୟସ୍ଥତା କରି ମାସକ ମଧ୍ୟରେ କୋର୍ଟରେ ବିବାହ ଏବଂ ପରେ ବୈଦିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା । ତଥାପି ଧୋକାବାଜ୍‌ ପ୍ରେମିକ ରଞ୍ଜନ ସୁଧୁରି ନ ଥିଲା । ଯୌତୁକ ଦାବି କରି ଯୁବତୀଙ୍କୁ ବାହା ହେବାକୁ ମନା କରି ଦେଇଥିଲା । ଶେଷରେ ଅନ୍ୟ କୌଣସି ବାଟ ନ ପାଇ ଯୁବତୀ ଜଣକ ଶୁକ୍ରବାର ରଗଡ଼ିରେ ପହଞ୍ଚି ପ୍ରେମିକ ଘର ଦୁଆରେ ଧାରଣାରେ ବସିଥିଲେ । ଖବରପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a comment