ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ଏବେ ଅଡୁଆ ସୂତା, ବୋହୂ ଉପରେ ସନ୍ଦେହ କଲେ ଶ୍ବଶୁର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଆଁରେ ପୋଡି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ବୋହୂ ଉପରେ ସନ୍ଦେହ କଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପୁଅକୁ ନିର୍ଯାତନା ଦେଉଥିଲେ ବୋହୂ । ଘଟଣା ଦିନ ପୁଅ ପାଖରେ ବୋହୂ ଘରେ ଥିଲେ ବୋଲି ସୌମ୍ୟରଞ୍ଜନଙ୍କ ବାପା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସରକାରୀ ବାସଭବନରୁ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଗଜପତି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ବିଷୟରେ କିଛି କହିନଥିବା ବେଳେ ସୌମ୍ୟରଞ୍ଜନ ରହୁଥିବା ବାସଭବନରେ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରିବା ସହ କିଛି ସାମଗ୍ରୀ ଜବତ କରିଛି ।
ସେପଟେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପତ୍ନୀ ରହୁଥିଲେ ମଧ୍ୟ ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସୌମ୍ୟରଞ୍ଜନ ପୋଡି ହେବା ଘଟଣା ହତ୍ୟା ନା ଆତ୍ମହତ୍ୟା ନା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ଗତ ଡିସେମ୍ବର ମାସରେ ତାଙ୍କର ବିବାହ ହୋଇଥିଲା । ସେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ରହୁଥିଲେ ।